ରୁଷିକୁଲ୍ୟା ନଦୀରେ ଭାସିଯାଇ ଯୁବକ ମୃତ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଆସ୍କା ସହର କୁମ୍ଭାର ସାହିର ସଞ୍ଜୟ କୁମାର ବେହେରା ନାମକ ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ ଘର ନିକଟସ୍ଥ ରୁଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଅସାବଧାନତାବଶତଃ ନଦୀର ଗଭୀର ଜଳସ୍ରୋତରେ ଭାସିଯାଇଥିଲେ। ଏହି ସମୟରେ ନିଜ ସାହିର କିଛି ସାହାସୀ ଯୁବକ ଭାସିଯାଉଥିବା ଅବସ୍ଥାରେ ସଞ୍ଜୟଙ୍କୁ ଉଦ୍ଧାର କରି ନଦୀକୁଳକୁ ଆଣିଥିଲେ। ସେଠାରୁ ତୁରନ୍ତ ଆମ୍ବୁଲାନ୍ସ ଗାଡ଼ିକୁ ସେମାନେ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଗାଡ଼ି ଆସିବା ବିଳମ୍ବ ଯୋଗୁଁ ତାଙ୍କୁ ମୋଟରସାଇକେଲ ଯୋଗେ ଅସ୍ଥାୟୀ ଡାକ୍ତରଖାନାକୁ ନେଇଥିଲେ। କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ଘଟଣାକୁ ନେଇ ସାହିବାସିନ୍ଦା ମୃତ ଯୁବକଙ୍କ ମୃତଦେହ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ। ଖବର ପାଇ ପୁଲିସ ଏସ୍ଡିପିଓ ଓ ପୌର ଅଧ୍ୟକ୍ଷା ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।



