ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ଖାଇବର ପାଖତୁନଖାୱାରେ ଦୁଇଟି ପୃଥକ ବୋମା ବିସ୍ଫୋରଣ, ୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ଅଶାନ୍ତ ଖାଇବର ପାଖତୁନଖାୱା ପ୍ରଦେଶରେ ପୁଣି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଶନିବାର ମାର୍କା ବେରା ଅଞ୍ଚଳରେ ହୋଇଥିବା ଦୁଇଟି ପୃଥକ ବୋମା ବିସ୍ଫୋରଣରେ ଅତିକମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବିସ୍ଫୋରଣଟି ହାଥିଖେଲ ଗ୍ରାମରୁ ସହର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଭ୍ୟାନକୁ ଟାର୍ଗେଟ୍ କରି କରାଯାଇଥିଲା। ରାସ୍ତାକଡ଼ରେ ପୂର୍ବରୁ ପୋତା ଯାଇଥିବା ଏକ ଆଇଇଡି ସଂସ୍ପର୍ଶରେ ଗାଡ଼ିଟି ଆସିବା ମାତ୍ରେ ସେଠାରେ ଭୟାବହ ବିସ୍ଫୋରଣ ଘଟିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ପ୍ରଥମ ବିସ୍ଫୋରଣ ସ୍ଥଳରେ ସ୍ଥାନୀୟ ଲୋକ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା। ଏହି ଦ୍ୱିତୀୟ ବୋମା ବିସ୍ଫୋରଣରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ନିଜ ନିୟନ୍ତ୍ରଣକୁ ନେଇଛି। ଏଥିସହ ବିସ୍ଫୋରଣ ସ୍ଥଳରୁ ବୈଜ୍ଞାନିକ ଦଳ ପ୍ରମାଣ ଏବଂ ନମୁନା ସଂଗ୍ରହ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button