ଦେଶରେ ବଢ଼ୁଛନ୍ତି ନକଲି ଆଇନଜୀବୀ: ଚିନ୍ତା ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ନକଲି ଆଇନଜୀବୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଆଶଙ୍କା କରାଯାଉଛି ଯେ, ପ୍ରତି ୩ ଜଣ ଆଇନଜୀବୀଙ୍କ ମଧ୍ୟରୁ ଜଣେ ନକଲି। ଏହି ସମସ୍ୟାର ସମାଧାନ ଏବଂ ନକଲି ଆଇନଜୀବୀଙ୍କୁ ଚିହ୍ନଟ କରିବା ପାଇଁ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ତର୍ଜମା କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆଧାର କାର୍ଡ ଯାଞ୍ଚ ଜରିଆରେ ଆଇନଜୀବୀଙ୍କ ପାଇଁ ଏକ ‘ଜାତୀୟ ଡିଜିଟାଲ୍ ରେଜିଷ୍ଟ୍ରର’ ପ୍ରସ୍ତୁତ କରିବାକୁ ବାର୍ ଆସୋସିଏସନ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (BCI) ର ସଭାପତି ଏକ ଚାଞ୍ଚଲ୍ୟକର ବୟାନ ଦେଇ କହିଥିଲେ ଯେ, ଦେଶର ବିଭିନ୍ନ ଅଦାଲତରେ ମାମଲା ଲଢ଼ୁଥିବା ପ୍ରାୟ ୩୫ ରୁ ୪୦ ପ୍ରତିଶତ ଆଇନଜୀବୀଙ୍କ ନିକଟରେ ବୈଧ ଆଇନ ଡିଗ୍ରୀ ନାହିଁ। ଏହି ପ୍ରସଙ୍ଗକୁ ନେଇ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର (PIL) ଶୁଣାଣି ସମୟରେ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ କୁମାର ଓ ବିପିନ ନାୟର ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।



