୨ରେ ପ୍ରଥମ ଓ ଶିଶୁ ବାଟିକା ନିମନ୍ତେ ନାମ ଲେଖାଇବେ ରାଜ୍ୟର ଛାତ୍ରଛାତ୍ରୀ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି, ୨୦୨୦ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏକବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିବା ନେଇ ସଂକଳ୍ପବଦ୍ଧ। ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବେ। କାର୍ଯ୍ୟକାରିତାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖକୁ ପ୍ରସ୍ତୁତ କରିବା ନେଇ ଚଳିତ ମାସର ଆରମ୍ଭରେ ବିଜ୍ଞପ୍ତି ସଂଖ୍ୟା ୧୨୩୪/୧୫.୦୧.୨୦୨୫ ମାଧ୍ୟମରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଘୋଷଣା କରାଯାଇଥିଲା। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ ସହ ଓଡ଼ିଶାର ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ପାଇଁ ୨୦୨୫-୨୦୨୬ ଶିକ୍ଷାବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଅତିରିକ୍ତ ପ୍ରାକ୍ ପ୍ରାଥମିକ ଶ୍ରେଣୀ ବା ‘ଶିଶୁ ବାଟିକା’ ଖୋଲାଯିବାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍‌-ବିଦ୍ୟାଳୟ ଶିକ୍ଷା ବା ଶିଶୁ ବାଟିକା ପାଇଁ ନାମଲେଖା ଓ ୨୦୨୫-୨୦୨୬ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀ ପାଇଁ ନାମଲେଖା ବୟସକୁ ୬ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବର୍ଷ ବୟସ ବୋଲି ବିଜ୍ଞପ୍ତି ସଂଖ୍ୟା ୧୭୫୩/୨୦.୦୧.୨୦୨୫ ମାଧ୍ୟମରେ ଘୋଷଣା କରାଯାଇଛି। ଜାଦୁଇ ପିଟାରାକୁ ଏନ୍‌ସିଇଆର୍‌ଟି ଦ୍ୱାରା ଜାତୀୟ ପାଠ୍ୟକ୍ରମ ଢାଞ୍ଚାରେ ବିକଶିତ କରାଯାଇଛି। ଆମ ରାଜ୍ୟରେ ପ୍ରତ୍ୟେକ ଡିଆଇଇଟି ଦ୍ୱାରା ଯାଦୁ ପେଡ଼ି ସାମଗ୍ରୀ ବିକଶିତ ଏବଂ ପ୍ରାସଙ୍ଗିକ କରାଯାଇଛି। ଏନେଇ ସଚେତନତା ବଢାଇବା ଏବଂ ଏନସିଏଫ-ଏସଏସର ପ୍ରତୀକ ଭାବେ ଏନସିଇଆରଟି ଦ୍ୱାରା ଇ-ଜାଦୁଇ ଆପ୍ ବିକଶିତ କରାଯାଇଛି। ପିଟାରାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳନା, ପଜଲ୍‌, କବିତା ପୋଷ୍ଟର, ଗପ କାର୍ଡ଼, ଚିତ୍ର କାର୍ଡ଼, ଶିକ୍ଷକ ତାରା, ଅଭିଭାବକ ତାରା ସଂଖ୍ୟାଜ୍ଞାନ ପାଇଁ ଶିକ୍ଷଣ ସାମଗ୍ରୀ କିଟ୍ ଇତ୍ୟାଦି ରହିଛି। ଏହାକୁ ଉଭୟ ଶିକ୍ଷକ ଓ ଅଭିଭାବକ, ଛାତ୍ରଛାତ୍ରୀ ବ୍ୟବହାର କରିବେ। ରାଜ୍ୟ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଯାଦୁ ପେଡ଼ି ଦିଆଯିବ। ଦେଶର ବିଭିନ୍ନ ଶିକ୍ଷାବିତ୍ ଓ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ପରେ ଛାତ୍ରଛାତ୍ରୀମାନଙ୍କର ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ ରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସକୁ ୬ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ଧାର୍ଯ୍ୟ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ୬ ବର୍ଷ ବୟସ ପୂର୍ତ୍ତି ସମୟସୀମାକୁ ମାର୍ଚ୍ଚ ମାସ ୩୧ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ମାସ ୧ ତାରିଖ ଧାର୍ଯ୍ୟ କରାଯାଇଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଆମ ରାଜ୍ୟର ୫ ରୁ ୬ ବର୍ଷ ପିଲାଙ୍କ ପାଇଁ ‘ଶିଶୁ ବାଟିକା’ ଶ୍ରେଣୀ ପ୍ରତ୍ୟେକ ବିଦ୍ୟାଳୟରେ ଏପ୍ରିଲ ୨ ତାରିଖରୁ ତାରିଖରୁ ପ୍ରତ୍ୟେକ ବିଦ୍ୟାଳୟରେ ବିଦ୍ୟମାନ ଭିତ୍ତିଭୂମି ଏବଂ ମାନବସମ୍ବଳ ସହିତ କାର୍ଯ୍ୟ କରିବ। ଏଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ପିଲାଙ୍କ ପାଇଁ କାର୍ଯ୍ୟ ପୁସ୍ତିକା ଓ ଶିକ୍ଷକଙ୍କ ପାଇଁ ଶିକ୍ଷକ ସହାୟକ ପୁସ୍ତିକା ପ୍ରସ୍ତୁତ କରାଯାଇଛି ଓ ବିଦ୍ୟାଳୟରେ ବଣ୍ଟନ କରିବାକୁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଶିଶୁ ବାଟିକା ଶ୍ରେଣୀ ନେବା ପାଇଁ ତାଲିମ ଦିଆଯାଇଛି। ଓଡ଼ିଶା ସରକାର ଆଗାମୀ ଶିକ୍ଷାବର୍ଷ ୨୦୨୬-୨୦୨୭ ମଧ୍ୟରେ ଜାତୀୟ ପାଠ୍ୟକ୍ରମ ଅନୁସାରେ ଘଉଋଜଞ ଦ୍ୱାରା ପ୍ରସ୍ତୁତ ପୁସ୍ତକ ସହିତ ସମାନ୍ତରାଳ ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ଯୋଜନା କରିଛନ୍ତି। ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀ ଓ ପ୍ରଥମ ଶ୍ରେଣୀ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ପାଳନ କରାଯିବ। ଏଥିପାଇଁ ଯୋଗ୍ୟ ବିବେଚିତ ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ୱାର ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଛି। ଏହି ଉତ୍ସବକୁ ପ୍ରତ୍ୟେକ ବିଦ୍ୟାଳୟରେ ଚାରି ଦିନବ୍ୟାପୀ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button