ନଭେମ୍ବର ୧୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ୨ ଫର୍ମପୂରଣ ଅବଧି

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଥିବା ବାତ୍ୟା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୭ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ଏବେ ଆସନ୍ତା ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବିନା କୌଣସି ଲେଟ୍ ଫି’ରେ ଫର୍ମ ପୂରଣ କରିପାରିବେ। ପୂର୍ବରୁ ଏହା ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟା ଅର୍ଣ୍ଣବ ଏବଂ ବନ୍ୟା ଯୋଗୁଁ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏବଂ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିବାରୁ ପରିଷଦ ଏଭଳି ପଦକ୍ଷେପ ଗ୍ରହଣ କରିଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଛାତ୍ରଛାତ୍ରୀମାନେ ଏହି ସୁଯୋଗରୁ ଲାଭବାନ ହେବେ। ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକମାନଙ୍କୁ ନୂତନ ସମୟସୀମା ମଧ୍ୟରେ ବିନା ଜରିମାନାରେ ଫର୍ମପୂରଣ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ତେବେ ଏହି ସମୟସୀମା ବୃଦ୍ଧି ବ୍ୟତୀତ ଅନ୍ୟ ସମସ୍ତ ପରୀକ୍ଷା କାର୍ଯ୍ୟସୂଚୀ ପୂର୍ବଭଳି ଅପରିବର୍ତ୍ତିତ ରହିବ। ପରିଷଦର ଏହି ନିଷ୍ପତ୍ତି ଫର୍ମ ପୂରଣ କରିବାରୁ ବଞ୍ଚିତ ଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button