ଆଇପିଏଲ-୨୦୨୭ ପୂର୍ବରୁ ଧମାକା: ପଞ୍ଜାବ କିଙ୍ଗସରେ ସାମିଲ ହେଲେ ହାର୍ଦ୍ଦିକ, ମୁମ୍ବାଇ ଇଣ୍ଡିଆନ୍ସ ଗଲେ ଅର୍ଶଦୀପ

ନୂଆଦିଲ୍ଲୀ: ଆଇପିଏଲ-୨୦୨୭ ପୂର୍ବରୁ ଏକ ବଡ଼ ଟ୍ରେଡ୍ ଘୋଷଣା ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପଞ୍ଜାବ କିଙ୍ଗସ୍ ପାଇଁ ଖେଳିବାକୁ ଯାଉଥିବା ବେଳେ ତାରକା ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଛନ୍ତି। IPL ପକ୍ଷରୁ ଅଫିସିଆଲ ଭାବେ ଏହି ପ୍ଲେୟାର-ଟୁ-ପ୍ଲେୟାର ଟ୍ରେଡ୍ ବାବଦରେ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ୧୮ କୋଟି ଟଙ୍କାର ନୂଆ ଫି ସହ ପଞ୍ଜାବ କିଙ୍ଗସ୍ ସହ ଯୋଡ଼ି ହୋଇଛନ୍ତି; ପୂର୍ବରୁ ତାଙ୍କ ଫି ୧୬.୩୫ କୋଟି ଟଙ୍କା ଥିଲା। ସେହିପରି ଅର୍ଶଦୀପ ସିଂହ ନିଜର ପୁରୁଣା ୧୮ କୋଟି ଟଙ୍କା ଫି’ରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ହାର୍ଦ୍ଦିକ ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସରୁ ହିଁ ଆଇପିଏଲ୍ ଡେବ୍ୟୁ କରିଥିଲେ ଏବଂ ଦଳ ସହ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ୪ ଥର ଟାଇଟଲ୍ ଜିତିଥିଲେ। ୨୦୨୨ ଓ ୨୦୨୩ରେ ସେ ଗୁଜରାଟ ଟାଇଟନ୍ସର ଅଧିନାୟକ ଥିବା ବେଳେ ଏବେ ପଞ୍ଜାବ କିଙ୍ଗସ୍ ତାଙ୍କର ତୃତୀୟ ଫ୍ରାଞ୍ଚାଇଜ୍ ହେବାକୁ ଯାଉଛି।



