ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଶେଷ ଦର୍ଶନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ ଜଣାଇଛି ବିଜେଡି। ଆଜି ତାଙ୍କ ମରଶରୀର ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନରେ ପହଞ୍ଚିବା ପରେ ଦଳୀୟ ନେତା ତଥା ବିଧାୟକମାନେ ଶେଷ ଦର୍ଶନ କରିଥିଲେ। ସେହିପରି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶେଷ ଦର୍ଶନ କରିବା ପାଇଁ ଶଙ୍ଖଭବନ ଆସିଥିଲେ। ଏହା ପୂର୍ବରୁ ତାଙ୍କ ମରଶରୀର ବିଧାନସଭା ପରିସରକୁ ନିଆଯାଇଥିଲା। ସୁଶାନ୍ତଙ୍କ ବିୟୋଗରେ ରାଜ୍ୟର ବହୁ ନେତା ଓ ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରି ଦଳ ଜଣେ ଟାଣୁଆ ନେତାକୁ ହରାଇଲା ବୋଲି କହିଛନ୍ତି। ତାଙ୍କର ସାମାଜିକ ଗଣମାଧ୍ୟମରେ ନବୀନ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ସୁଶାନ୍ତ ସିଂହଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ତଥା ଲୋକପ୍ରିୟ ନେତାଙ୍କୁ ହରାଇଲା। ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଲୋକଙ୍କ ସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।



