ଆମେରିକାକୁ ଇରାନର ନୂଆ ଶାନ୍ତି ପ୍ରସ୍ତାବ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅଚଳାବସ୍ଥା ପରେ ଶାନ୍ତି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଇରାନ ଏକ ନୂତନ ରଣନୀତି ଆପଣାଇଛି। ପାକିସ୍ତାନର ମଧ୍ୟସ୍ଥତାରେ ଇରାନ ଆମେରିକା ପ୍ରଶାସନ ନିକଟକୁ ଏକ ନୂତନ ପ୍ରସ୍ତାବ ପଠାଇଥିବା ଜଣାପଡ଼ିଛି। ପରମାଣୁ ପ୍ରସଙ୍ଗ ଭଳି ଜଟିଳ ବିଷୟରେ ତୁରନ୍ତ ଆଲୋଚନା କରିବା ପରିବର୍ତ୍ତେ, ବର୍ତ୍ତମାନର ଉତ୍ତେଜନା ହ୍ରାସ କରିବା ଏବଂ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ଉପରେ ଏହି ଯୋଜନାରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ‘ଆକ୍ସିଓସ୍’ ରିପୋର୍ଟରେ ପ୍ରକାଶ ପାଇଛି। ଏହି ପ୍ରସ୍ତାବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବିଶ୍ୱ ତୈଳ ବାଣିଜ୍ୟର ପ୍ରମୁଖ ମାର୍ଗ ‘ହର୍ମୁଜ୍ ପ୍ରଣାଳୀ’  କୁ ପୁନଃ କାର୍ଯ୍ୟକ୍ଷମ କରିବା। ଇରାନ ଚାହୁଁଛି ଯେ, ପରମାଣୁ ଆଲୋଚନା ପୂର୍ବରୁ ସାମୁଦ୍ରିକ ପରିବହନ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ହଟାଯାଇ ସ୍ଥିତି ସ୍ୱାଭାବିକ କରାଯାଉ। ତେବେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସୂଚନା ଅନୁସାରେ, ଆମେରିକାର ସର୍ତ୍ତଗୁଡ଼ିକ ଉପରେ କିପରି ପ୍ରତିକ୍ରିୟା ଦିଆଯିବ, ସେ ନେଇ ଇରାନ ସରକାରଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ସର୍ବସମ୍ମତ ନିଷ୍ପତ୍ତି ହୋଇପାରି ନାହିଁ। ଏହି ଆଭ୍ୟନ୍ତରୀଣ ମତଭେଦ ଯୋଗୁଁ ଆଲୋଚନା ପ୍ରକ୍ରିୟା କିଛିଟା ମନ୍ଥର ହୋଇଛି। ଅନ୍ୟପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପରିସ୍ଥିତିର ସମୀକ୍ଷା ପାଇଁ ନିଜ ସୁରକ୍ଷା ପରାମର୍ଶଦାତାଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ଯାଉଛନ୍ତି। ଟ୍ରମ୍ପ ପ୍ରଶାସନ ଇରାନ ପ୍ରତି କଠୋର ଆଭିମୁଖ୍ୟ ରଖିଥିଲେ ସୁଦ୍ଧା ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିକଳ୍ପ ଖୋଲା ରଖିଛନ୍ତି। ଏହି ଶାନ୍ତି ପ୍ରକ୍ରିୟାରେ ସମର୍ଥନ ପାଇଁ ଇରାନ ମଧ୍ୟ ମିଶର, ତୁର୍କୀ ଏବଂ କାତାର ଭଳି ପ୍ରଭାବଶାଳୀ ଦେଶଗୁଡ଼ିକ ସହ ଯୋଗାଯୋଗ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button