ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ

ଭୁବନେଶ୍ୱର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ତଥା ନବଉତ୍କଳର ନିର୍ମାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଆଜି ଓଡ଼ିଶା ବିଧାନସଭା ପରିସରରେ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଚ୍ଛିନ୍ନ ଉତ୍କଳର ଏକତ୍ରୀକରଣ କ୍ଷେତ୍ରରେ ମହାରାଜାଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ। ୧୮୯୨ ମସିହା ଅପ୍ରେଲ ୨୬ ତାରିଖରେ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ରାଜପରିବାରରେ ଜନ୍ମଗ୍ରହଣ କରିଥିବା କୃଷ୍ଣଚନ୍ଦ୍ର ଗଜପତି, ପିତା ଗୌରଚନ୍ଦ୍ର ଗଜପତି ଓ ମାତା ରାଧାମଣି ଦେବୀଙ୍କ ସୁଯୋଗ୍ୟ ସନ୍ତାନ ଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଲଣ୍ଡନର ଗୋଲଟେବୁଲ ବୈଠକରେ ଓଡ଼ିଶାର ପକ୍ଷ ରଖିବାରେ ତାଙ୍କର ଭୂମିକା ଥିଲା ନିର୍ଣ୍ଣାୟକ। କେବଳ ଜଣେ ଶାସକ ଭାବେ ନୁହେଁ, ବରଂ ଜଣେ ସାହିତ୍ୟାନୁରାଗୀ, ଦାନବୀର ଏବଂ ଶିକ୍ଷାନୁରାଗୀ ଭାବେ ସେ ସର୍ବଜନବିଦିତ। ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିଥିବା ଏହି ମହାନ୍ ଜନନାୟକଙ୍କର ୧୯୭୪ ମସିହା ମଇ ୨୫ ତାରିଖରେ ୮୨ ବର୍ଷ ବୟସରେ ପରଲୋକ ଘଟିଥିଲା। ଜଣେ ବିଚକ୍ଷଣ ରାଜନୀତିଜ୍ଞ ଓ ଦେଶଭକ୍ତ ଭାବେ ତାଙ୍କର ଆଦର୍ଶ ଆଗାମୀ ପିଢ଼ି ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।

Related Articles

Leave a Reply

Your email address will not be published. Required fields are marked *

Back to top button