ଚାଷୀକୂଳ ହତାଶ: ପାଣିର ଗାର ପାଲଟିଛି ସରକାରଙ୍କ ‘ଜୟ କିଶାନ’ ର ନାରା

ବର୍ଷାର ଘୋର ଅଭାବ ଯୋଗୁ ଚାରି ଆଡେ ମରୁଡିର ପରିସ୍ଥିତି । ହିଡ଼ ମୁଣ୍ଡରେ ବର୍ଷା ଜଳକୁ ଚାତକ ପରି ଚାହିଁ ବସିଛି ଚାଷୀ । ପାଣିପାଗ ବିଭାଗର ସୂଚନା ଏବେ ଚାଷୀକୁଳକୁ ବିଷ ପରି ଲାଗିଲାଣି । ଗତ ବର୍ଷର ଧାରା କରଜ ଏ ବର୍ଷ ସୁଝିବ ବୋଲି ସବୁ ଯୋଜନା ଫସର ଫାଟିଲା ।  ଏବେ ମାନସିକ ଭାରସାମ୍ୟ ହରେଇ ବସିଲେଣି ସମଗ୍ର ଚାଷୀକୂଳ । 

କେନ୍ଦ୍ରାପଡା / ରାଜକନିକା : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକରେ ୨୯ଟି ଗ୍ରାମ ପଞ୍ଚାୟତରେ ବର୍ଷା ଅଭାବରୁ ହଜାର ହଜାର ହେକ୍ଟର ଚାଷ ଜମି ଏବେ ଗୋରୁ ଗାଈଙ୍କର ଚରାଭୂମି ପାଲଟିଛି | ଖାଲି ସେତିକି ନୁହେଁ ମରୁଡି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯାହାକୁ ଦେଖି ଚାଷୀକୁଳ ହତାଶ | ଚାଷୀମାନେ କୃଷି ସେବା ସମବାୟ ସମିତିରୁ ଋଣ ଏବଂ ଗାଁ ଗହଳିରୁ ଧାର କରଜ କରି ଟଙ୍କା ଆଣି ଖରାଟିଆ ହଳ କରି କୃଷି ବିଭାଗ କାର୍ଯ୍ୟାଳୟରୁ ବିହନ ଆଣି ଧାନଚାଷ କରିବା ପାଇଁ ତଳି ପକାଇଥିଲେ | ୟା ଭିତରେ ଯେଉଁ ଅଦିନିଆ ବର୍ଷା ଲାଗି ରହିଥିଲା ସେଥିରେ ଧାନ ଗଜା ହୋଇଥିଲା | ବର୍ତ୍ତମାନ ଗଜାମରୁଡ଼ି ଦେଖିବାକୁ ମିଳିଲାଣି | ତାର କାରଣ ହେଉଛି ଜଳର ଅଭାବ | ବର୍ଷା ଅଭାବରୁ ଧାନ ଗଜା ନିରାଟ ଖରାରେ ମରିବାକୁ ବସିଲାଣି | ସରକାରଙ୍କ ତରଫରୁ କିଛି ସ୍ଥାନରେ ଉଠା ଜଳସେଚନ କାର୍ଯ୍ୟାଳୟ ପକ୍ଷରୁ ପାଣି ପଞ୍ଚାୟତ ଗଠନ କରାଯାଇଛି ଓ ମଟର ପମ୍ପ ସେଟ୍ ବସିଛି କିନ୍ତୁ କାର୍ଯ୍ୟକାରୀ ହେଉନାହିଁ | ସରକାର ଚାଷୀଙ୍କୁ ଉପଯୁକ୍ତ ସମ୍ମାନ କଥା ହେଉଥିବା ବେଳେ ଏଭଳି ଘଟଣା କୃଷକମାନେ ଭାଙ୍ଗି ପଡିଛନ୍ତି | ଜୟ କିଶାନର ନାରା କେନ୍ଦ୍ର ତଥା ରାଜ୍ୟରେ ଡିଣ୍ଡିମ ପିଟାଯାଉଥିଲେ ମଧ୍ୟ ବାସ୍ତବରେ ଅନାହାରରେ କିଶାନର ମୃତ୍ୟୁ ନିଶ୍ଚିତ ବୋଲି ଶୁଣିବାକୁ ମିଳୁଛି |

ତେଣୁ ତୁରନ୍ତ ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ଦୃଷ୍ଟି ଆକର୍ଷଣ କଲେ ଚାଷୀକୁଳ ଉପକୃତ ହେବା ସହିତ ସେମାନଙ୍କ ପରିବାର ବି ହସି ଉଠିବ | ନଚେତ ଆଗକୁ ଚାଷୀ ଚାଷ ନ କଲେ ଜନସାଧାରଣ ଭୋକରେ ମରିବା ନିଶ୍ଚିତ | ତେଣୁ ରାଜକନିକା ଅଂଚଳବାସୀ ଯଦି ଏ ସମସ୍ୟାରୁ ନ ମୁକୁଳନ୍ତି ତେବେ ଚାଷୀମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କିଛି ଚାଷୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |

Related Articles

Leave a Reply

Your email address will not be published.

Back to top button