ବିୟୁଟି ମହାନ୍ତି ମୃତ୍ୟୁ ମାମଲା: ମିଳିଛି ଡିଜିଟାଲ ପ୍ରମାଣ, ତଦନ୍ତ ଜାରି ରହିଥିବା କହିଲେ ଡିସିପି

ଭୁବନେଶ୍ବର: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି। ଡିସିପିଙ୍କ ସୂଚନା ଅନୁସାରେ, ଏହି ମାମଲାରେ କିଛି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ ମିଳିବା ସହ ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀ ରିପୋର୍ଟ ମଧ୍ୟ ହସ୍ତଗତ ହୋଇଛି। ମୋବାଇଲ୍ ଫୋନ୍ରୁ ମିଳିଥିବା କିଛି ତଥ୍ୟ ଆଧାରରେ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସର ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ରହସ୍ୟଜନକ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି। ସେ ପୂର୍ବରୁ କଟକର ମର୍କତନଗର ମହିଳା ଥାନା ସମେତ ବିଭିନ୍ନ ଥାନାରେ ଥାନାଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ପୋଲିସ ସମସ୍ତ ଦିଗକୁ ଅନୁଧ୍ୟାନ କରି ଘଟଣାର ଗଭୀର ତଦନ୍ତ କରୁଛି।



