ଏବିଭିପିର ବାଜିମାତ୍‌: ଅମିତ ଶାହଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଏକ ବିପୁଳ ଏବଂ ଐତିହାସିକ ବିଜୟ ହାସଲ କରିଛି। ରାଜ୍ୟର ଶତାଧିକ ମହାବିଦ୍ୟାଳୟ ଏବଂ ୧୩ଟି ବିଶ୍ୱବିଦ୍ୟାଳୟରେ ଏବିଭିପିର ପ୍ରାର୍ଥୀମାନେ ଅନେକ ଆସନରେ ବିଜୟୀ ହୋଇଥିବାରୁ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ନିଜର ସୋସିଆଲ ମିଡିଆ ଆକାଉଣ୍ଟ୍ ‘ଏକ୍ସ’ (X)ରେ ଲେଖିଛନ୍ତି ଯେ, ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ଏହି ପ୍ରଚଣ୍ଡ ସଫଳତା ଅତ୍ୟନ୍ତ ଗର୍ବର ବିଷୟ। ପ୍ରଥମେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ବର୍ତ୍ତମାନ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏବିଭିପିର ଏହି କ୍ରମାଗତ ବିଜୟ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଦେଶର ଯୁବଶକ୍ତି ମିଥ୍ୟା, ଭ୍ରମ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିମାନଙ୍କ ସାଙ୍ଗରେ ନାହିଁ; ବରଂ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହିତ ଦୃଢ଼ତାର ସହ ଛିଡ଼ା ହୋଇଛି। ଏହି ନିର୍ବାଚନୀ ଫଳାଫଳ ଦେଶବିରୋଧୀ ତଥା ବିଭାଜନକାରୀ ରାଜନୀତି କରୁଥିବା ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ ବୋଲି ସେ ମତ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button