ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା: ଚାରି ପ୍ରମୁଖ ଅଞ୍ଚଳକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣିଥରେ ଏକ ନୂତନ ସାମୁଦ୍ରିକ ଝଡ଼ର କଳାବାଦଳ ଘୋଟିବା ଆରମ୍ଭ ହୋଇଛି। ଆସନ୍ତା କିଛି ଦିନ ମଧ୍ୟରେ ସମୁଦ୍ରରେ ବାତ୍ୟା ସୃଷ୍ଟି ହେବାନେଇ ପୂର୍ବାନୁମାନ କରାଯାଇଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିବାରେଲାଗିଛି। ବିଶେଷକରି ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ଏହି ଆକଳନ ପରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ସତର୍କ ହୋଇପଡ଼ିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୧୩ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ମୁତାବକ, ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ବଳୟଟି କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ସମୁଦ୍ର ମଧ୍ୟରେ ଅନୁକୂଳ ବାତାବରଣ ମିଳିବା କାରଣରୁ ଏହା ଚଳିତ ସପ୍ତାହ ଶେଷ ସୁଦ୍ଧା ଅଧିକ ଶକ୍ତିଶାଳୀ ହେବାର ପୂର୍ବାନୁମାନ କରାଯାଇଛି। ଆସନ୍ତା ୧୪ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପ ନେବ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ ନଭେମ୍ବର ୧୫ ତାରିଖ ବେଳକୁ ଏହା ଏକ ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଶକ୍ତି ସଂଗ୍ରହ କରି ଏକ ଭୟାବହ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ ବୋଲି ଜାସନ ନିକୋଲସ ସ୍ପଷ୍ଟ କରିଛନ୍ତି। ଏହି ସମ୍ଭାବ୍ୟ ପ୍ରଣାଳୀର ଗତିପଥ ଏବଂ ଏହାର ତୀବ୍ରତାକୁ ନେଇ ପାଣିପାଗ ବିଶେଷଜ୍ଞମାନେ ନିରୀକ୍ଷଣ ଜାରି ରଖିଛନ୍ତି। ଆସନ୍ତା ସପ୍ତାହରେ ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସ୍ଥଳଭାଗରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ କାଳବୈଶାଖୀ ପରି ପବନ ବହିବାର ଆଶଙ୍କା ଥିବାରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ପଡ଼ୋଶୀ ବାଂଲାଦେଶକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।



