ପ୍ରତିରକ୍ଷା କ୍ଷେତ୍ରରେ ଇସ୍ରାଏଲର ବଡ଼ ସଫଳତା: ଶକ୍ତିଶାଳୀ କ୍ରୁଜ୍ କ୍ଷେପଣାସ୍ତ୍ର ‘ସୁପର ଆଇସ୍‌’ ଉନ୍ମୋଚିତ

ଜେରୁଜେଲମ୍‌: ଇସ୍ରାଏଲର ପ୍ରମୁଖ ପ୍ରତିରକ୍ଷା ସାମଗ୍ରୀ ନିର୍ମାତା ସଂସ୍ଥା ‘ରାଫେଲ୍’ ପକ୍ଷରୁ ଏକ ଅତ୍ୟାଧୁନିକ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ‘ସୁପର ଆଇସ୍‌’ର ଉନ୍ମୋଚନ କରାଯାଇଛି। ପୂର୍ବ ସଂସ୍କରଣଗୁଡ଼ିକ ତୁଳନାରେ ଏହା ବହୁ ଅଧିକ ଓଜନର ବିସ୍ଫୋରକ ବହନ କରିବା ସହ ପ୍ରତିକୂଳ ପରିବେଶରେ ଥିବା ଶତ୍ରୁପକ୍ଷର ରଣନୈତିକ ଲକ୍ଷ୍ୟସ୍ଥଳକୁ ଅତି ସଠିକ୍ ଭାବରେ ଧ୍ୱଂସ କରିବାର କ୍ଷମତା ରଖିଛି। ‘ସୁପର ଆଇସ୍‌’ କ୍ଷେପଣାସ୍ତ୍ରଟି ୧,୦୦୦ ପାଉଣ୍ଡ (ପ୍ରାୟ ୪୫୪ କିଲୋଗ୍ରାମ) ଓଜନର ବିସ୍ଫୋରକ ବହନ କରିବାକୁ ସକ୍ଷମ, ଯାହା ମାର୍କ-୮୩ ବୋମା ସହ ସମତୁଲ। ଏହି କ୍ଷେପଣାସ୍ତ୍ରକୁ ଯୁଦ୍ଧ ବିମାନ, ଯୁଦ୍ଧପୋତ ଏବଂ ସ୍ଥଳଭାଗରେ ଥିବା ଉତକ୍ଷେପଣ କେନ୍ଦ୍ର ଭଳି ବିଭିନ୍ନ ମାଧ୍ୟମରୁ ନିକ୍ଷେପ କରାଯାଇପାରିବ। ଏହା ସେନାକୁ ସର୍ବାଧିକ କାର୍ଯ୍ୟକ୍ଷମ ନମନୀୟତା ପ୍ରଦାନ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ରାଫେଲ୍ ଦ୍ୱାରା ବିକଶିତ ‘ଆଇସ୍ ବ୍ରେକର’ ଏବଂ ‘ସି ବ୍ରେକର୍‌’ କ୍ରୁଜ୍ କ୍ଷେପଣାସ୍ତ୍ରଗୁଡ଼ିକ କେବଳ ୨୫୦ ପାଉଣ୍ଡ ଓଜନର ବିସ୍ଫୋରକ ବହନ କରିପାରୁଥିଲେ ଏବଂ ସେଗୁଡ଼ିକର ଲକ୍ଷ୍ୟଭେଦ କ୍ଷମତା ସର୍ବାଧିକ ୩୦୦ କିଲୋମିଟର ପର୍ଯ୍ୟନ୍ତ ସୀମିତ ଥିଲା। ତେବେ ରାଫେଲ୍ ପକ୍ଷରୁ ‘ସୁପର ଆଇସ୍‌’ର ପ୍ରକୃତ ଲକ୍ଷ୍ୟଭେଦ ଦୂରତା ସାର୍ବଜନୀନ କରାଯାଇ ନଥିଲେ ମଧ୍ୟ, ଜଟିଳ ସାମରିକ ଆବଶ୍ୟକତା ପୂରଣ କରିବା ଏବଂ ଦୂରଗାମୀ ପରିସୀମାରେ ଥିବା ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଥିବା ସ୍ପଷ୍ଟ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button