ଡେଙ୍ଗୁରେ ଆକ୍ରାନ୍ତ ହେଲେଣି ୩ହଜାରରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର :ରାଜ୍ୟରେ କ୍ଷିପ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ପ୍ରତିବର୍ଷ ପରି ଚଳିତବର୍ଷ ଡେଙ୍ଗୁ ମୁକାବିଲା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ନିଷ୍ପତ୍ତି ଓ ନିର୍ଦ୍ଦେଶ ତଳସ୍ତରରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଡେଙ୍ଗୁ ବେକାବୁ ହେବାରେ ଲାଗିଛି। ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ଥିବା ଉଚ୍ଚ ଅଧିକାରୀମାନେ କହୁଥିଲେ ମଧ୍ୟ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଛି। ବିଶେଷକରି ଶେଷ ୧୦ଦିନରେ ରାଜ୍ୟରେ ୧ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବାରୁ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ଏବେ ବି ଭୁବନେଶ୍ୱର ପାଇଁ ଖୋର୍ଦ୍ଧା ଜିଲା ହଟ୍‌ସ୍ପଟ୍‌ରେ ରହିଥିବାବେଳେ ପୁରୀ ଓ କଟକ ଜିଲାରେ ସଂକ୍ରମଣ ଅଧିକ ବଢ଼ୁଥିବା ଜଣାପଡିଛି।
ଜନସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ବିଭିନ୍ନ ଜିଲାରେ ୨୭ ତାରିଖ ସୁଦ୍ଧା ୪୬ ହଜାର ୪୯୧ ରକ୍ତ ନମୁନା ପରୀକ୍ଷଣ ହୋଇଥିବାବେଳେ ୩୦୯୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧ ହଜାର ୪୦୯ଜଣ ଡେଙ୍ଗୁ ଆକ୍ରାନ୍ତ ରହିଛନ୍ତି। ଏହା ତଳକୁ ପୁରୀ ଜିଲାରେ ୩୪୨, କଟକରେ ୨୭୮, ବାଲେଶ୍ୱରରେ ୨୭୭, ଜଗତ୍‌ସିଂହପୁରରେ ୧୭୩ ଓ ନୟାଗଡ ଜିଲାରେ ୧୧୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାର ଅଧିକାଂଶ ଡେଙ୍ଗୁ ରୋଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁରେ ଅତିବେଶିରେ ମାତ୍ର ୫ ପ୍ରତିଶତ ଲୋକ ଗୁରୁତର ହେଉଛନ୍ତି। ଭୁବନେଶର କ୍ୟାପିଟାଲ ହସ୍ପିଟାଲ ଉପରୁ ଡେଙ୍ଗୁ ଚିକିତ୍ସା ବୋଝ କମାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି ଅର୍ବାନ ସିଏଚ୍‌ସିରେ ଡେଙ୍ଗୁ ରୋଗୀଙ୍କ ପାଇଁ ୧୦ଟି ଲେଖାଏ ସ୍ବତନ୍ତ୍ର ବେଡ୍‌ ବ୍ୟବସ୍ଥା କରାଯାଇଥିଲା। ସେହିପରି କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ଟେଷ୍ଟିଂ କେନ୍ଦ୍ର କରାଯିବା ସହ ଅଧିକ ମ୍ୟାନପାୱାର ମଧ୍ୟ ନିୟୋଜିତ ହୋଇଛନ୍ତି। ଏହାସହ ପଟିଆ ଅର୍ବାନ ସିଏଚ୍‌ସି ଓ ଆଇଆର୍‌ସି ଭିଲେଜ ଅର୍ବାନ ପିଏଚ୍‌ସିରେ ଟେଷ୍ଟିଂ ବ୍ୟବସ୍ଥା ସୋମବାରରୁ ଆରମ୍ଭ ହୋଇଛି। ଡେଙ୍ଗୁ ରୋଗୀ ଗୋଟିଏ ଜାଗାରେ ଗହଳି ନ କରି ସିଏଚ୍‌ସି ଓ ପିଏଚ୍‌ସି ହସ୍ପିଟାଲକୁ ଯିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି। ସେହିପରି ଡେଙ୍ଗୁ ଆକ୍ରାନ୍ତଙ୍କ ୨୦ ହଜାର ପର୍ଯ୍ୟନ୍ତ ପ୍ଲେଟ୍‌ଲେଟ୍‌ ଥିଲେ ବ୍ୟସ୍ତ କିମ୍ବା ବିବ୍ରତ ହୁଅନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button