ଦେଶବାସୀଙ୍କୁ ସମ୍ବୋଦନ ବେଳେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଟ୍ରେଡ୍‌-ଟେରର-ଟକ୍ ଏକାଠି ଚାଲିପାରିବନି

ନୂଆଦିଲ୍ଲୀ: ଟେରର ଆଣ୍ଡ ଟକ୍ ଏକାଠି ସମ୍ଭବ ନୁହେଁ। ଟେରର ଓ ଟ୍ରେଡ୍ ଏକାସଙ୍ଗେ ହୋଇପାରିବନି। ପାଣି ଓ ରକ୍ତ ଏକାଠି ବହି ପାରିବ ନାହିଁ। ଯଦି ପାକିସ୍ତାନ ସହ କଥା ହେବୁ ତେବେ ଆତଙ୍କବାଦ ନେଇ ହେବୁ। ପହଲଗାମ ନରସଂହାର ଓ ଅପରେସନ ‘ସିନ୍ଦୂର’ ପରେ ସୋମବାର ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ପାକିସ୍ତାନକୁ କଡ଼ା ବାର୍ତ୍ତା ଦେବାକୁ ଯାଇ ମୋଦୀ ଏପରି କହିଛନ୍ତି। ଏପ୍ରିଲ ୨୨ରେ ଘଟିଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ଠାରୁ ଆରମ୍ଭ କରି ଦ୍ୱିପାକ୍ଷିକ ଅସ୍ତ୍ରବିରତି ପର୍ଯ୍ୟନ୍ତ, ନୀରବ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟା ୮ଟା ସମୟରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜମ୍ମୁ କାଶ୍ମୀରର ପହଲଗାମ୍ ବୈସାରନ୍ ଘାଟିରେ ଆତଙ୍କବାଦୀମାନେ ଅତି ନିଷ୍ଠୁରତାର ସହ ଆମ ଦେଶର ମହିଳାଙ୍କ ସିନ୍ଦୂର ପୋଛିଦେଇଥିଲେ। ଆମେ ସେମାନଙ୍କୁ ଜୀବନରୁ ପୋଛିଦେଲୁ।ଆତଙ୍କବାଦୀମାନେ ଆମ ଦେଶର ପିଲାମାନଙ୍କ ମୁଣ୍ଡରୁ ସେମାନଙ୍କ ବାପାଙ୍କ ହାତକୁ ସେମାନେ ସବୁଦିନ ପାଇଁ କାଢ଼ିନେଇଥିଲେ। ମହିଳା ଓ ପିଲାମାନଙ୍କ ସମ୍ମୁଖରେ ସେମାନଙ୍କ ସ୍ୱାମୀ-ବାପାଙ୍କୁ ଗୁଳିକରି ନିର୍ମର୍ମ ଭାବେ ହତ୍ୟା କରିଥିଲେ। ପରିବାର ସହ ଛୁଟି କଟାଇବାକୁ ଆସିଥିବା ୨୬ ପର୍ଯ୍ୟଟକଙ୍କୁ ସେମାନେ ହତ୍ୟା କରିଥିଲେ। ସେହିଦିନ ହିଁ ଆମେ ପ୍ରତିଜ୍ଞା ନେଇଥିଲୁ ଏହାର ପ୍ରତିଶୋଧ ନିଆଯିବ। ଆମ ସେନା ଏହି ପ୍ରତିଶୋଧ ନେବାରେ ସଫଳ ହୋଇଛି। ଭାରତୀୟ ସେନାବାହିନୀ ପାକିସ୍ତାନ ମାଟିରେ ହିଁ ପାକ୍ ଆତଙ୍କବାଦୀଙ୍କୁ ଜୀବନରୁ ଶେଷ କରିଛନ୍ତି। ସେମାନଙ୍କ ଆଡ୍ଡା, ଭିତ୍ତଭୂମିଗୁଡ଼ିକୁ ଆମ ସେନା ମାଟିରେ ମିଶାଇଦେଇଛନ୍ତି। “ଭାରତୀୟ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରଗୁଡ଼ିକ ସଠିକତାର ସହିତ ଆକ୍ରମଣ କରିଥିଲା। ପାକିସ୍ତାନୀ ବାୟୁସେନାର ଏୟାରବେସ୍‌ଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା, ଯାହା ଉପରେ ପାକିସ୍ତାନ ବହୁତ ଗର୍ବ କରୁଥିଲା। ଆମ ସେନା କାପୁରୁଷଙ୍କ ଭଳି ପାକିସ୍ତାନର ନୀରିହ ଜନସାଧାରଣଙ୍କୁ ଟାର୍ଗେଟ୍ କରିନାହିଁ। ପହଲଗାମ ପ୍ରତିଶୋଧ ନେବାକୁ ଯାଇ ଆମ ସେନା କେବଳ ଆତଙ୍କବାଦୀ ଏବଂ ସେମାନଙ୍କ ଭିତ୍ତିଭୂମି ଉପରେ ପ୍ରହାର କରିଛି। ଏହାର ପ୍ରମାଣ ଆଜି ସମଗ୍ର ବିଶ୍ୱ ଦେଖୁଛି। ମୋଦୀ ଆହୁରି କହିଛନ୍ତି ଯେ ପରମାଣୁ ଅସ୍ତ୍ରର ଧମକକୁ ବରଦାସ୍ତ କରାଯିବନାହିଁ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଜାରି ରଖିବ ଭାରତ। ପହଲଗାମ ଘଟଣା ପରେ ଭାରତୀୟ ସେନା ଜବାବୀ ହମ୍‌ଲା ଆତଙ୍କବାଦୀଙ୍କ ଆଡ୍ଡା ଏବଂ ସେମାନଙ୍କ ଟ୍ରେନିଂ ସେଣ୍ଟରଗୁଡ଼ିକୁ କେବଳ ଧୂଳିସାତ୍ କରିନଥିଲା ବରଂ ସେମାନଙ୍କ ସାହସକୁ ମଧ୍ୟ ଭାଙ୍ଗିଦେଇଛି। ୧୦୦ରୁ ଆତଙ୍କବାଦୀ ନିହତ ହେବା ପାକିସ୍ତାନକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି। ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସେମାନଙ୍କୁ ଆକାଶରେ ହିଁ ଧ୍ୱଂସ କରିଦେଇଥିଲା। ପାକିସ୍ତାନ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା, କିନ୍ତୁ ଭାରତ ପାକିସ୍ତାନର ଛାତିରେ ଯୁଦ୍ଧ କରିଥିଲା। ପ୍ରଥମ ତିନି ଦିନରେ ଭାରତ ପାକିସ୍ତାନର ଏତେ ଧ୍ୱଂସ କରିଥିଲା, ଯାହାକୁ ପାକିସ୍ତାନ କଳ୍ପନା ମଧ୍ୟ କରିନଥିଲା। ପାକିସ୍ତାନ ସେନା ବ୍ୟବହାର କରିଥିବା ଚୀନ୍ ଓ ତୁର୍କୀର ବିମାନ ଓ ଅନ୍ୟ ସାମରିକ ଉପକରଣଗୁଡ଼ିକ ଭାରତର ଶକ୍ତିଶାଳୀ ଆକ୍ରମଣ ଆଗରେ ତିଷ୍ଠିପାରିନଥିଲେ। ମୋଦୀ କହିଛନ୍ତି, ସମଗ୍ର ବିଶ୍ୱ ଦେଖିଛି ଯେ, ଆତଙ୍କବାଦୀଙ୍କ ମୃତ୍ୟୁକୁ ପାକିସ୍ତାନ ସେନା ଏବଂ ସରକାର କିପରି ପାଳନ କରିଥାନ୍ତି। ଏହା ଠାରୁ ବଡ଼ ପ୍ରମାଣ ଆଉ କ’ଣ ହୋଇପାରେ ଯେ, ଆତଙ୍କବାଦ ପଛରେ ପାକିସ୍ତାନ ସେନା ଓ ସରକାରଙ୍କ ସମ୍ପୃକ୍ତି ରହିଛି। ଭାରତ ବରାବର ଏହି ଦାବି କରିଆସୁଛି, କିନ୍ତୁ ପାକିସ୍ତାନ ଏହାକୁ ଖଣ୍ଡନ କରୁଛି। ଏବେ ଯେତେବେଳେ ସମସ୍ତ ପ୍ରମାଣ ସହ ଭାରତ ନିଜ ପକ୍ଷ ରଖୁଛି ସେତେବେଳେ ସମଗ୍ର ବିଶ୍ୱ ପାକିସ୍ତାନର ଅସଲ ଚରିତ୍ରକୁ ଭଲଭାବେ ବୁଝୁଛି। ମୋଦୀ କହିଛନ୍ତି, ଅପରେସନ ‘ସିନ୍ଦୂର’ କେବଳ ଏକ ନାମ ନୁହେଁ, ଏହା ଭାରତର ଆତ୍ମା। ଆମେ ଆମ ସେନାକୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଇଛୁ। ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ଆତଙ୍କବାଦର ମଧ୍ୟ ଯୁଗ ନୁହେଁ। ଦେଶର ତିନି ସେନାବାହିନୀଙ୍କ ପରାକ୍ରମ ସମ୍ପର୍କରେ ମୋଦୀ କହିଛନ୍ତି ଯେ, ଭାରତୀୟ ସେନାର କଡା ଜବାବରେ ପାକିସ୍ତାନ ଭୟଭୀତ ହୋଇପଡ଼ିଥିଲା। ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଖସିଯିବାର ଉପାୟ ଖୋଜିବା ଆରମ୍ଭ କରିଥିଲା। ଆମ୍ନା ସାମ୍ନା ଲଢ଼େଇରେ ପରାସ୍ତ ହେବା ପରେ, ମେ ୧୦ ତାରିଖ ଅପରାହ୍ଣରେ, ପାକିସ୍ତାନୀ ସେନା ଆମ ଡିଜିଏମଓଙ୍କ ସହିତ ଯୋଗାଯୋଗ କରିଥିଲା ଏବଂ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା। ପାକିସ୍ତାନ ସେନା ପ୍ରତିଶ୍ରୁତି ଦେଇ କହିଥିଲା ଯେ, ଏହା ଭବିଷ୍ୟତରେ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହେବ ନାହିଁ କିମ୍ବା ସାମରିକ ସାହସ ପ୍ରଦର୍ଶନ କରିବ ନାହିଁ, ସେତେବେଳେ ଭାରତ ମଧ୍ୟ ଏହା ଉପରେ ବିଚାର କରିଥିଲା, ଅସ୍ତ୍ରବିରତି ପାଇଁ ଆମେ ରାଜି ହୋଇଥିଲୁ। ପାକିସ୍ତାନ ମନେ ରଖିବା ଉଚିତ୍ ଯେ, ଭାରତ କେବଳ ସାମରିକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛି, ସୀମାରେଖାରେ ସାମାନ୍ୟ ଉତ୍ତେଜନା ସୃଷ୍ଟିହେଲେ ପୁଣି ଦୃଢ଼ ଜବାବ ଦିଆଯିବ। ଆତଙ୍କବାଦୀମାନେ ସ୍ୱପ୍ନରେ ମଧ୍ୟ ଭାବି ନଥିବେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ, କିନ୍ତୁ ଯେତେବେଳେ ଦେଶ ଏକ ହୋଇଯାଏ, ରାଷ୍ଟ୍ର ପ୍ରଥମର ଭାବନା ଆସେ, ରାଷ୍ଟ୍ରର ସୁରକ୍ଷା ସର୍ବୋପରି ହୋଇଯାଏ, ସେତେବେଳେ ଏଭଳି ଦୃଢ଼ ନିଷ୍ପତ୍ତି ନିଆଯାଏ। ପ୍ରତିପକ୍ଷଙ୍କୁ ଏପ୍ରକାର ପରିଣାମ ଭୋଗ କରିବାକୁ ହିଁ ପଡିଥାଏ।ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନର ପରବର୍ତ୍ତୀ ଆଚରଣ ଉପରେ ଆମର ନଜର ରହିଛି। ସର୍ଜିକାଲ ଷ୍ଟ୍ରାଇକ୍ ପରେ ଅପରେସନ ‘ସିନ୍ଦୂର’ ଭାରତର ନୀତି। ଯଦି ଆଗକୁ ଆକ୍ରମଣ ହୁଏ, ତା’ହେଲେ ଜବାବ ଆହୁରି ଜୋରଦାର ହେବ। ଆମେ ଆମ ଇଚ୍ଛାରେ ଏହାର ଜବାବ ଦେବୁ।ଏହାଛଡ଼ା ଆତଙ୍କୀଙ୍କ ଶେଷକୃତ୍ୟରେ ପାକିସ୍ତାନ ସେନା ଯୋଗଦେଲା। ଏଥିରୁ ପ୍ରମାଣିତ ହେଲା ଏହା ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ। ପୂରା ବିଶ୍ୱ ପାକିସ୍ତାନର ବିକୃତ ରୂପ ଦେଖିଲା। ଏକବିଂଶ ଶତାବ୍ଦୀର ଯୁଦ୍ଧ ସମୟରେ ପୂରା ବିଶ୍ୱ ମେଡ ଇନ ଇଣ୍ଡିଆ ଅସ୍ତ୍ରର ଶକ୍ତି ଦେଖିଲା। ଆତଙ୍କବାଦ ବିରୋଧରେ ଏକାଠି ରହିବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଜ ସମ୍ବୋଧନରେ ସେ ପାକିସ୍ତାନ, ପାକିସ୍ତାନୀ ସେନା, ଆତଙ୍କବାଦ ସଂଗଠନ ଓ ଆତଙ୍କବାଦୀଙ୍କୁ କଡ଼ା ବାର୍ତ୍ତା ଦେବା ସହ ଭାରତୀୟ ସେନାର ପରାକ୍ରମ, ଶୌର୍ଯ୍ୟକୁ ପ୍ରଶଂସା କରିଛନ୍ତି। ମୋଦୀ ଦେଶବାସୀଙ୍କୁ ସୂଚନା ଦେବାକୁ ଯାଇ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପାକିସ୍ତାନ ସହ ଯଦି କୌଣସି ପ୍ରସଙ୍ଗରେ ଆଲୋଚନା ହୁଏ ତେବେ ଏହା କେବଳ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ସମ୍ପର୍କୀତ ହେବ। ଶେଷରେ ମୋଦୀ ଜୟ ହିନ୍ଦ୍ କହିବା ସହ ଭାରତୀୟ ସେନାର ପରାକ୍ରମକୁ ସାଲ୍ୟୁଟ୍ କରିଥିଲେ ଏବଂ ଦେଶର ଗୁଇନ୍ଦା ବ୍ୟବସ୍ଥା ଏବଂ ବୈଜ୍ଞାନିକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button