ନାଇଜିରିୟା ବିମାନ ଦୁର୍ଘଟଣାରେ ୩୨ ମୃତ

ନୂଆଦିଲ୍ଲୀ: ନାଇଜିରିୟାରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟି ୩୨ ଜଣଙ୍କର ପ୍ରାଣହାନି ଘଟିଛି। ଉକ୍ତ ଦେଶର ବାୟୁସେନା ଦ୍ୱାରା ପରିଚାଳିତ ଏକ ATR-42 ବିମାନ ନିୟମିତ ମିଶନରେ ବେନିନ୍ ସିଟିରୁ ଲାଗୋସ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଉଡ଼ାଣ ଭରିବାର କିଛି ସମୟ ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସୂଚନାନୁଯାୟୀ, ଇଗବୋକୋଡା ଉପକୂଳବର୍ତ୍ତୀ ସହର ନିକଟସ୍ଥ ଏକ ନୌସେନା ଘାଟି ପାଖରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଦ୍ଧାରକାରୀ ଦଳ ସନ୍ଧାନ ଚଳାଇ ଶେଷରେ ସେଠାରୁ ବିମାନର ଭଗ୍ନାବଶେଷ ଠାବ କରିଛନ୍ତି, ଯାହାର କିଛି ଅଂଶ ପାଣି ଭିତରେ ବୁଡ଼ି ରହିଛି। ଏହି ଦୁର୍ଘଟଣାରେ ୭ ଜଣ କ୍ରୁ ସଦସ୍ୟ ଏବଂ ୨୫ ଜଣ ଯାତ୍ରୀଙ୍କ ସମେତ ମୋଟ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରେ ନାଇଜିରିୟା ରାଷ୍ଟ୍ରପତି ଟିନୁବୁ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଦୁର୍ଘଟଣାର ସଠିକ୍ କାରଣ ତୁରନ୍ତ ଖୋଜି ବାହାର କରିବା ପାଇଁ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ବାୟୁସେନା ଓ ଉଦ୍ଧାରକାରୀ ଦଳ ପକ୍ଷରୁ ତଦନ୍ତ ସହ ଖୋଜାଖୋଜି ଅଭିଯାନ ଜାରି ରହିଛି।



