ବାରଙ୍ଗ ଥାନାରେ ଯୁବକଙ୍କୁ ‘ଥାର୍ଡ ଡିଗ୍ରୀ’ ଅଭିଯୋଗ: ଥାନା ଘେରିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଭୁବନେଶ୍ବର: ଥାନାରେ ଅଟକ ଥିବା ଜଣେ ଯୁବକଙ୍କୁ ପୋଲିସ ନିର୍ମମ ଭାବେ ‘ଥାର୍ଡ ଡିଗ୍ରୀ’ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ମାଡ଼ରେ ଅଟକ ଯୁବକଜଣକ ଗୁରୁତର ଆହତ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଗତକାଲି ବାରଙ୍ଗ ଥାନା ଆଗରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଗୁରୁତର ଯୁବକଜଣକ ହେଉଛନ୍ତି ଚଣ୍ଡୀପ୍ରସାଦ ଗାଁର ରାକେଶ ବେହେରା। ଏହାକୁ ପ୍ରତିବାଦ କରି ଉତ୍ତ୍ୟକ୍ତ ଗ୍ରାମବାସୀ ଥାନା ଘେରାଉ କରିବା ସହ ପ୍ରବଳ ହଙ୍ଗାମା କରିଥିଲେ। ଘଟଣା ଅନୁଯାୟୀ, ଗତ ୧୬ ତାରିଖରେ ଚଣ୍ଡୀପ୍ରସାଦ ଗାଁରୁ ଜଣେ ମହିଳା ନିଖୋଜ ଥିବା ନେଇ ବାରଙ୍ଗ ଥାନାରେ ଏତଲା ଦିଆଯାଇଥିଲା। ଏହାପରେ ବ୍ରାହ୍ମଣୀଗାଁ ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ଉକ୍ତ ମୃତଦେହଟି ରାକେଶଙ୍କ ନିଖୋଜ ପତ୍ନୀଙ୍କର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଥିଲା। ଏହି ହତ୍ୟାକାଣ୍ଡ ସନ୍ଦେହରେ ପୋଲିସ ମହିଳାଙ୍କ ସ୍ୱାମୀ ରାକେଶ ବେହେରା, ତାଙ୍କ ମାଆ ଏବଂ ସହଯୋଗୀ ମିଥୁନ ବେହେରାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା। ତେବେ ତଦନ୍ତ ନାଁରେ ରାକେଶଙ୍କୁ ପୋଲିସ ଅମାନୁଷିକ ଭାବେ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button