ପାଗ ଅନୁକୂଳ, ଆଗେଇ ଚାଲିଛି ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ: ୪ରୁ ୫ ଦିନରେ ଓଡ଼ିଶା ଛୁଇଁବ ମୌସୁମି

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଆଉ ମାତ୍ର ୪ରୁ ୫ ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି। ସାଧାରଣତଃ ଓଡ଼ିଶାରେ ଜୁନ୍ ୧୦ରୁ ୧ canvas ୫ ତାରିଖ ମଧ୍ୟରେ ମୌସୁମି ପ୍ରବେଶ କରିଥାଏ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏଥର ନିର୍ଦ୍ଧାରିତ ସ୍ୱାଭାବିକ ସମୟ ମଧ୍ୟରେ ହିଁ ଓଡ଼ିଶାରେ ମୌସୁମିର ଆଗମନ ହେବାକୁ ଯାଉଛି। ପାଣିପାଗ ବିଭାଗର ସୂଚନାନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର କେତେକ ଅଞ୍ଚଳ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଅଞ୍ଚଳରେ ପ୍ରବେଶ କରିବ। ଏହା ସହିତ ତେଲଙ୍ଗାନା ଓ ତାମିଲନାଡୁର କିଛି ନୂଆ ସ୍ଥାନରେ ମଧ୍ୟ ମୌସୁମି ଛୁଇଁବ। ଅପରପକ୍ଷରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମ-କେନ୍ଦ୍ରୀୟ, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେତେକ ଅଞ୍ଚଳକୁ ମୌସୁମି ପ୍ରବେଶ କରିବା ପାଇଁ ପରିସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି।



