ସୌରିନ ଭଟ୍ଟଙ୍କ ଅଡୁଆ: ଅଦାଲତ ନିର୍ଦ୍ଦେଶ ଅବମାନନା ପଡ଼ିଲା ମହଙ୍ଗା, ହଟିଲା NBW ସ୍ଥଗିତାଦେଶ

ଭୁବନେଶ୍ବର: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଆଇନଗତ ଅସୁବିଧା ଆହୁରି ବୃଦ୍ଧି ପାଇଛି। ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ମଧ୍ୟ ହାଜର ନହେବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହ ନିମ୍ନ ଅଦାଲତଙ୍କ ପକ୍ଷରୁ ସୌରିନ୍‌ଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ପରୱାନା ଉପରେ ହାଇକୋର୍ଟ ପୂର୍ବରୁ ଦେଇଥିବା ସ୍ଥଗିତାଦେଶକୁ ହଟାଇ ଦେଇଛନ୍ତି। ଅଦାଲତରେ ସୌରିନ୍‌ କିପରି ହାଜର ହେବେ, ସେ ନେଇ ନିମ୍ନ ଅଦାଲତ ଦୃଢ଼ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ, ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଇ ଦୁଷ୍କର୍ମ କରିବା ଓ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନ ଫେରାଇବା ଅଭିଯୋଗରେ କଟକ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ୨୦୨୩ ମସିହା ନଭେମ୍ବର ୨୩ରେ କଟକ SDJM କୋର୍ଟ ସୌରିନ୍‌ଙ୍କ ବିରୋଧରେ NBW ଜାରି କରିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିବା ସହ ତାଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦ ତାରିଖ ସୁଦ୍ଧା ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ବୋଲି ତାଙ୍କ ଆଇନଜୀବୀ ହାଇକୋର୍ଟଙ୍କୁ ଜଣାଇଥିଲେ। ମାତ୍ର ସେ ନିର୍ଦ୍ଧାରିତ ସମୟରେ ହାଜର ନ ହେବାରୁ ହାଇକୋର୍ଟ ପୂର୍ବରୁ ଦେଇଥିବା ରହିତାଦେଶକୁ ପ୍ରତ୍ୟାହାର କରିନେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button