ପୱନ ଖେଡାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା: ହାଇକୋର୍ଟଙ୍କ ଜାମିନ ଆଦେଶ ଉପରେ ରୋକ

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ପୱନ ଖେଡାଙ୍କ ଅଡ଼ୁଆ ବଢ଼ିଛି। ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ପ୍ରଦାନ କରିଥିବା ଆଗୁଆ ଜାମିନ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ମାମଲାରେ ସର୍ବୋଚ୍ଚ ଅଦାଲତ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତ ୫ ଏପ୍ରିଲରେ ପୱନ ଖେଡା ଅଭିଯୋଗ କରିଥିଲେ ଯେ, ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମାଙ୍କ ପାଖରେ ତିନୋଟି ଭିନ୍ନ ଦେଶର ପାସପୋର୍ଟ ରହିଛି। ଏହି ମିଥ୍ୟା ଅଭିଯୋଗ ବିରୋଧରେ ରିଙ୍କି ଭୂୟାଁ ଶର୍ମା ଆସାମ ପୁଲିସ ନିକଟରେ ମାମଲା ଦାୟର କରିଥିଲେ। ଜଷ୍ଟିସ୍ ଜେ.କେ. ମାହେଶ୍ୱରୀ ଏବଂ ଜଷ୍ଟିସ୍ ଏ.ଏସ. ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ପୱନ ଖେଡାଙ୍କୁ ନୋଟିସ୍ ଜାରି କରି ତିନି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ତେଲେଙ୍ଗାନା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଆସାମ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ଖେଡାଙ୍କ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ପତ୍ନୀ ହାଇଦ୍ରାବାଦରେ ରୁହନ୍ତି, ତେଣୁ ସେଠାରେ ଜାମିନ ଆବେଦନ କରାଯାଇଥିଲା। ମାତ୍ର ସୋଲିସିଟର ଜେନେରାଲ ଏହାର ବିରୋଧ କରି କହିଥିଲେ ଯେ, ଆଧାର କାର୍ଡ ଅନୁଯାୟୀ ସେ ଦିଲ୍ଲୀର ବାସିନ୍ଦା। ଏହି ଯୁକ୍ତିକୁ ଆଧାର କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବା ସହ ଆଗାମୀ ଶୁଣାଣି ତିନି ସପ୍ତାହ ପରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button