ଲଗାଣ ବର୍ଷା ଯୋଗୁଁ ୬ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଉତ୍ତର ଓଡ଼ିଶାର ୪ଟି ଓ ପଶ୍ଚିମ ଓଡ଼ିଶାର ୨ଟି ଜିଲ୍ଲାରେ ଆଜି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ସବୁ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପାଠପଢ଼ା ସ୍ଥଗିତ ରଖାଯାଇଛି। ପାଣିପାଗ ବିଭାଗର ସୂଚନାାନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ସମୁଦ୍ର ମଧ୍ୟରେ ବାଲେଶ୍ୱରଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଆସନ୍ତାକାଲି ଏହା ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ପବନ ସହ ବର୍ଷା ଜାରି ରହିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଥିବାରୁ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button