ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡର ଟେଣ୍ଡର ହେରଫେର ଓ ଦୁର୍ନୀତି ଅଭିଯୋଗ ମାମଲାରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ରାଜଧାନୀର ରାଉଜ୍ ଆଭେନ୍ୟୁ କୋର୍ଟ ଆଜି ତାଙ୍କ ନିୟମିତ ଜାମିନ ଆବେଦନକୁ ଗ୍ରହଣ କରି ମଞ୍ଜୁର କରିଛନ୍ତି। ବିଶେଷ ବିଚାରପତି ଡିଗ୍‌ ବିନୟ ସିଂହ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବୋଣ୍ଡ୍‌ ଏବଂ ସମାନ ପରିମାଣର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜୈନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାସହ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ ନ କରାଇ ଦୁଇ ଦିନରୁ ଅଧିକ ସମୟ ଦିଲ୍ଲୀ ବାହାରକୁ ନ ଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଗତ ଅଗଷ୍ଟ ୧୮ ତାରିଖରେ ଦିଲ୍ଲୀ ସରକାରଙ୍କ ଆଣ୍ଟି କରପ୍ସନ୍‌ ବ୍ରାଞ୍ଚ୍‌  ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସିଇଓ ଉଦିତ ପ୍ରକାଶ ରାୟ, କିଛି ବେସରକାରୀ ଠିକାଦାର ଓ ପରାମର୍ଶଦାତା ସାମିଲ ଥିଲେ। ଏସିବିର ଦାବି ଅନୁଯାୟୀ, ଜଳ ବୋର୍ଡର ସିୱେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସମ୍ପର୍କିତ ଟେଣ୍ଡରରେ ନିୟମ ଓ ଯାନ୍ତ୍ରିକ ମାପଦଣ୍ଡକୁ ବଦଳାଇ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅନୁଚିତ ଫାଇଦା ପହଞ୍ଚାଯାଇଥିଲା, ଯାହା ଦ୍ୱାରା ପ୍ରକଳ୍ପ ଖର୍ଚ୍ଚ ପ୍ରାୟ ୧୨୩ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button