ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ପାଣିପାଗ ଆବର୍ତ୍ତ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ପାଇଁ ୧୫ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହି ସତର୍କତା ତାଲିକାରେ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସମେତ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼ ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲା ରହିଛନ୍ତି। ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ସମୟରେ ସତର୍କ ରହିବା ସହ ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସେହିପରି ଆସନ୍ତାକାଲି ପାଇଁ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଥିବା ବେଳେ ଅଗଷ୍ଟ ୬ ତାରିଖରେ ସମଗ୍ର ଓଡ଼ିଶାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଏବଂ ରାସ୍ତାଘାଟରେ ପାଣି ଜମିବା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।



