ପୋଲିସ ଏନକାଉଣ୍ଟର: କଫ ସିରଫ ମାଫିଆ ଆହତ, ବିପୁଳ ପରିମାଣର କଫ ସିରଫ ଜବତ

ଭୁବନେଶ୍ବର: କଫ ସିରଫ ଚୋରା ଚାଲାଣ ବେଳେ ସମ୍ବଲପୁରରେ ପୋଲିସ ଓ ବେପାରୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ରେଙ୍ଗାଲି ଥାନା ଅନ୍ତର୍ଗତ ଜଙ୍ଗଲା-ପାଣ୍ଡଲୋଇ ରାସ୍ତାରେ ପୋଲିସର ଏନକାଉଣ୍ଟରରେ କଫ ସିରଫ ବେପାରୀ ପ୍ରୀତମ ବିଶ୍ୱାଳ ଆହତ ହୋଇଛନ୍ତି। ଆହତ ପ୍ରୀତମଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ୨ଟି କାର୍‌ରେ ବିପୁଳ ପରିମାଣର କଫ ସିରଫ ଚାଲାଣ ହେଉଥିବା ଖବର ପାଇ ପୋଲିସ ଚେକ୍ ପୋଷ୍ଟରେ ଯାଞ୍ଚ କରୁଥିଲା। ଏହି ସମୟରେ ଗାଡ଼ି ଚାଳକ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୋଲିସ ପ୍ରଥମ କାର୍‌ଟିକୁ ଅଟକାଇ ଡ୍ରାଇଭରକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯିବାରେ ସଫଳ ହୋଇଛି। ସେହିପରି ନମ୍ବର ବିହୀନ ଦ୍ୱିତୀୟ କାର୍‌ଟି ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଏହି ସମୟରେ କାର୍ ଚାଳକ ପ୍ରୀତମ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇବାରୁ ପ୍ରୀତମଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଘଟଣାସ୍ଥଳରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି କାର୍ ଏବଂ ବିପୁଳ ପରିମାଣର କଫ ସିରଫ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button