ମୟୂରଭଞ୍ଜରୁ ଓଡ଼ିଶା ବିକାଶର ମହାଶଙ୍ଖନାଦ: ୪୭,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଜନଜାତି ପ୍ରାଣକେନ୍ଦ୍ର ମୟୂରଭଞ୍ଜ ମାଟିରୁ ଆଜି ରାଜ୍ୟ ବିକାଶର ଏକ ନୂତ୍ୟ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଏବଂ ଓଡ଼ିଶା ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟବାସୀଙ୍କୁ ୪୭,୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପହାର ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ଦାଣ୍ଡବୋଷଠାରେ ଆୟୋଜିତ ଏକ ବିଶାଳ ସରକାରୀ ସମାବେଶରେ ପ୍ରଧାନମନ୍ତ୍ରୀ ଏହି ବିପୁଳ ପୁଞ୍ଜିନିବେଶର ବିଭିନ୍ନ ଜନହିତକର ଓ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ସହ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଆଜିର ଏହି ଗସ୍ତ କାଳରେ ଏକ ଅଭୂତପୂର୍ବ ଓ ସ୍ମରଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ନିଜ ଗାଁ ପାହାଡ଼ପୁରରେ ପହଞ୍ଚିଥିଲେ। ପାହାଡ଼ପୁରଠାରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଜନ୍ମମାଟିରେ ମହାମହିମ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ମିଳିତ ଉପସ୍ଥିତି ଜନଜାତି ସମାଜର ସଶକ୍ତିକରଣ ଏବଂ ସେମାନଙ୍କ ସାମଗ୍ରିକ ପ୍ରଗତି ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଥିବା ଅତୁଟ ସଂକଳ୍ପବଦ୍ଧତାକୁ ପ୍ରତିପାଦିତ କରିଛି। ପାହାଡ଼ପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମିଳିତ ଭାବେ ଆଦିବାସୀ ସମାଜର ଆରାଧ୍ୟ ପୀଠ ପବିତ୍ର ‘ସାନ୍ତାଳୀ ଜାହେରା’, ‘ଗୋସାଣୀ ପୀଠ’ ଏବଂ ‘ହୋ ଜାହେରା’ ପବିତ୍ର ବନକୁ ପରିଦର୍ଶନ କରି ସେଠାରେ ଭକ୍ତିପୂତ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେଠାରେ ଆୟୋଜିତ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ବୁଲି ଦେଖିବା ସହ ମୟୂରଭଞ୍ଜ ଅଞ୍ଚଳର ସମୃଦ୍ଧ ଜନଜାତି ଐତିହ୍ୟ, ପାରମ୍ପରିକ ହସ୍ତଶିଳ୍ପ ଏବଂ ଦେଶୀୟ ଉତ୍ପାଦର ଉଚ୍ଚ ପ୍ରଶଂସା କରିଥିଲେ। ସ୍ଥାନୀୟ ଆଦିବାସୀ ଜନସାଧାରଣଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ସେମାନଙ୍କର ଜୀବନଶୈଳୀ ଓ ସାଂସ୍କୃତିକ ପରମ୍ପରା ବାବଦରେ ଗଭୀର ସନ୍ତୋଷ ପ୍ରକାଶ କରିଥିଲେ। ନିଜ ଗସ୍ତ କ୍ରମରେ ପ୍ରଧାନମନ୍ତ୍ରୀ ପାହାଡ଼ପୁରସ୍ଥିତ ‘ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟର’ (ଦକ୍ଷତା ବିକାଶ କେନ୍ଦ୍ର) ଏବଂ ‘SLS ମେମୋରିଆଲ ଆବାସିକ ବିଦ୍ୟାଳୟ’ ପରିଦର୍ଶନ କରିଥିଲେ। ସେଠାରେ ସେ ଅଧ୍ୟୟନରତ ଆଦିବାସୀ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଯୁବପିଢ଼ିଙ୍କ ସହ ବେଶ କିଛି ସମୟ ଭାବବିନିମୟ କରିଥିଲେ। ଉଚ୍ଚଶିକ୍ଷା ଗ୍ରହଣ ସହ ନିଜ ଜୀବନରେ ଦକ୍ଷତା ବୃଦ୍ଧି କରି କିଭଳି ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ, ସେ ନେଇ ପ୍ରଧାନମନ୍ତ୍ରୀ କୋମଳମତି ଶିଶୁମାନଙ୍କୁ ପ୍ରେରଣାଦାୟୀ ଗୁରୁମନ୍ତ୍ର ଦେଇଥିଲେ। ଆଜିର ଏହି ମେଗା କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ହଜାର ହଜାର ଜନସାଧାରଣ ଉପସ୍ଥିତ ରହି ଓଡ଼ିଶାର ଏହି ନୂତନ ବିକାଶ ଯାତ୍ରାର ସାକ୍ଷୀ ହୋଇଛନ୍ତି।



