ଅପହରଣର ୯ ଦିନ ପରେ ମିଳିଲା ନିଖୋଜ ଦଳିତ ଯୁବକ ଗୌରାଙ୍ଗଙ୍କ କ୍ଷତବିକ୍ଷତ ମୃତଦେହ

ଭୁବନେଶ୍ବର: ପ୍ରାଣାନ୍ତକ ଆକ୍ରମଣ ଓ ଅପହରଣର ୯ ଦିନ ପରେ ଶେଷରେ ଦଳିତ ଯୁବକ ଗୌରାଙ୍ଗଙ୍କ ମୃତଦେହ ଠାବ କରିଛି ପୁଲିସ। ମୃତ ଗୌରାଙ୍ଗ ଆଳି ଥାନା ମହାଦେଇପାଟଣା ଗାଁର ବୋଲି ଜଣାପଡ଼ିଛି। ଗତ କିଛି ଦିନ ତଳେ ତାଙ୍କ ଉପରେ ସଂଘବଦ୍ଧ ପ୍ରାଣାନ୍ତକ ଆକ୍ରମଣ ହେବା ପରେ ସେ ନିଖୋଜ ଥିଲେ। ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହେବା ପରେ ତା’ ସୂଚନା ଆଧାରରେ ମୃତଦେହ ମିଳିଛି। ଆଳି ଥାନା ପେତପଡ଼ା ପଞ୍ଚାୟତର ନ’ମାଣିଆ ପାଟ ମଝିରେ ଥିବା ଏକ ବେଣାବୁଦା ଭିତରୁ ଗୌରାଙ୍ଗଙ୍କ ଖପୁରୀ, ହାଡ଼ ଓ ପୋଷାକ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ ଜମିଛି। ସୁରକ୍ଷା ଦୃଷ୍ଟିରୁ ପୁଲିସ ବାହିନୀ ସେଠାରେ ମୁତୟନ ହୋଇ ହାଡ଼ ଓ ଖପୁରୀକୁ ଜଗି ରହିଛନ୍ତି। ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ ଯେ, ଗୌରାଙ୍ଗଙ୍କ ନିଖୋଜକୁ ନେଇ ସ୍ଥାନୀୟ ଅଞ୍ଚଳରେ ତେଜ୍ରାତି ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ ପାଇଁ ଧମକ ଦିଆଯାଇଥିଲା।



