ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା: ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତାକାଲି ସୋମବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ଜଳାଭିଷେକ ପରେ ଭକ୍ତଙ୍କୁ ମହାପ୍ରଭୁ ଗଜାନନ ବେଶ (ହାତୀ ବେଶ)ରେ ଦର୍ଶନ ଦେବେ। ଏହି ଦିବ୍ୟ ଓ ଦୁର୍ଲଭ ଲୀଳାକୁ ଚକ୍ଷୁ ଶୀତଳ କରି ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସ୍ନାନ ମଣ୍ଡପକୁ ରଙ୍ଗବେରଙ୍ଗର ଫୁଲ ଓ ଆଲୋକମାଳାରେ ସୁସଜ୍ଜିତ କରାଯାଉଛି। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗହଳି ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡର ମାର୍କେଟ୍ ଛକଠାରୁ ସିଧାସଳଖ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ସୁଦୃଢ଼ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ଖରା ଏବଂ ବର୍ଷାରୁ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାରିକେଡ୍ ମଧ୍ୟରେ ସ୍ୱତନ୍ତ୍ର ଛାମୁଡ଼ିଆର ବ୍ୟବସ୍ଥା କରାଯିବା ସହ ବଡ଼ଦାଣ୍ଡ ପକ୍କା ରାସ୍ତାରେ ମ୍ୟାଟ୍/କାର୍ପେଟ୍ ବିଛାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଶ୍ରୀମନ୍ଦିର ପରିସର, ଚତୁଃପାର୍ଶ୍ୱ ଏବଂ ସହରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥରେ ୪୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ପୋଲିସ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସାରା ସହର ଉପରେ ତୀକ୍ଷ୍ଣ ନଜର ରଖାଯିବ।



