ଫୁଟବଲ ପଡ଼ିଆରେ ହୃଦୟବିଦାରକ ଘଟଣା: ଖେଳୁ ଖେଳୁ ଆଖି ବୁଜିଲେ ଖେଳାଳି

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ବୋକାରୋ ଥର୍ମାଲ୍ ଅଞ୍ଚଳରେ ଫୁଟବଲ୍ ମ୍ୟାଚ୍ ଚାଲିଥିବା ସମୟରେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଆର୍ମୋ ପଞ୍ଚାୟତ ନୂଆ ବସ୍ତି ମଇଦାନରେ ଆୟୋଜିତ ତିନିଦିନିଆ ଡେ-ନାଇଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ ଜଣେ ୩୭ ବର୍ଷୀୟ ଖେଳାଳିଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ଖେଳାଳିଜଣକ ହେଉଛନ୍ତି ଗୋମିଆ ଆଇଇଏଲ୍ ଅଞ୍ଚଳର ଖମ୍ଭରା ବସ୍ତି ନିବାସୀ କଜରା ମୁର୍ମୁ। ମିଳିଥିବା ସୂଚନା ଅନୁଯାୟୀ, ବଜରଙ୍ଗ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ କଜରା ‘ହଂସଦା ଏକାଦଶ’ ଦଳ ପକ୍ଷରୁ ଖେଳୁଥିଲେ। ମ୍ୟାଚ୍ ଚାଲିଥିବା ବେଳେ ବଲ୍ ଦଖଲ ପାଇଁ ସଂଘର୍ଷ କରୁଥିବା ସମୟରେ ଅନ୍ୟ ଜଣେ ଖେଳାଳିଙ୍କ ସହ ତାଙ୍କର ଜୋରଦାର ଧକ୍କା ହୋଇଥିଲା। ଧକ୍କା ହେବା ମାତ୍ରେ ସେ ମଇଦାନରେ ଅଚେତ ହୋଇ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଆୟୋଜକ ଓ ସାଥୀ ଖେଳାଳିମାନେ ଡିଭିସି ହସ୍ପିଟାଲକୁ ନେଇଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସବୁଠାରୁ କରୁଣ କଥା ହେଉଛି, ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କ ଗହଣରେ କଜରାଙ୍କ ପୁଅ ନିଖିଲ୍ ମଧ୍ୟ ଉପସ୍ଥିତ ଥିଲେ। ନିଜ ଆଖି ସାମ୍ନାରେ ବାପା ଅଚେତ ହୋଇ ପଡ଼ିଯିବା ଏବଂ ପରେ ତାଙ୍କର ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ସ୍ବବ୍ଧ କରିଦେଇଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



