ଆସନ୍ତା ୭କୁ ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଘୁଞ୍ଚିଛି। ଆସନ୍ତା ୭ ତାରିଖରେ ସର୍ବୋଚ୍ଚ ଅଦାଲତ ଏହି ମାମଲାର ଶୁଣାଣି କରିବେ। ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଆଜି ଏହି ଶୁଣାଣି ହେବାର ଥିଲା, ମାତ୍ର ଆବେଦନକାରୀ ଗତକାଲି ରିଜୋଇଣ୍ଡର ଦାଖଲ କରିବା ସହ ସଲିସିଟର ଜେନେରାଲ ମଧ୍ୟ ରିପୋର୍ଟ ଦାଖଲ କରିଥିବାରୁ ଏହାର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟ ସମୟ ନେଇଛନ୍ତି। ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ଆସନ୍ତା ୭ ତାରିଖ ଯାଏଁ ସଂଘ ଲୋକସେବା ଆୟୋଗ (UPSC) ଡିଜିପି ନିଯୁକ୍ତି ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଏହି ମାମଲାର ଶୁଣାଣି ବେଶି ଦିନ ଚାଲିବ ନାହିଁ ବୋଲି କୋର୍ଟଙ୍କ ନିୟମାବଳୀରୁ ସଙ୍କେତ ମିଳିଛି।



