ନାକଟିଦେଉଳରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରକଳ୍ପ ଶିଳାନ୍ୟାସ: ୧୯୩ କୋଟିର ୪୮ଟି ପ୍ରକଳ୍ପର ଭେଟି

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ବିକାଶ ଧାରାକୁ ଆଗେଇ ନେବା ପାଇଁ ଆଜି ନାକଟିଦେଉଳ ବ୍ଲକ ଗସ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ନାକଟିଦେଉଳ ମିନି ଷ୍ଟାଡିୟମଠାରେ ଆୟୋଜିତ ଏକ ଭଵ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ପ୍ରାୟ ୧୯୩ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୪୮ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ୪୮ଟି ମେଗା ପ୍ରକଳ୍ପ, ୩୧ଟି ନୂତନ ପ୍ରକଳ୍ପ ଏବଂ ୧୭ଟି ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ । ଏହି ଅବସରରେ ଐତିହାସିକ ଭୀମ ମଣ୍ଡଳୀକୁ ସ୍ୱତନ୍ତ୍ର ରାସ୍ତା, ବିଶ୍ରାମ ସ୍ଥଳୀ, ବ୍ରିଜ୍, ଦୁଇଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ମେଡିକାଲ ସମେତ କିସିଣ୍ଡା-ରେଢ଼ାଖୋଲ ରାସ୍ତା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତ ରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଏସପି ମୁକେଶ କୁମାର ଭାମୁ, ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ଵରୂପା ରାଣୀ ସାହୁ ଏବଂ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।



