ରେଳ ଭିତ୍ତିଭୂମିର ବିକାଶ: ଓଡ଼ିଶା-ଝାଡ଼ଖଣ୍ଡର ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

ଭୁବନେଶ୍ୱର: ଦେଶର ରେଳ ସଂଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି  ବୈଠକରେ ଓଡ଼ିଶା ଓ ଝାଡ଼ଖଣ୍ଡ ପାଇଁ ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ପ୍ରାୟ ୩,୯୦୭ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକୁ ୨୦୩୦-୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମଞ୍ଜୁରି ପାଇଥିବା ପ୍ରକଳ୍ପ ମଧ୍ୟରେ ପାରାଦୀପ–ହରିଦାସପୁର ରେଳପଥର ଦ୍ୱୈତୀକରଣ ଏବଂ ରାଜଖରସୁଆଁ–ଡାଙ୍ଗୋପୋଷି ରୁଟ୍‌ରେ ଚତୁର୍ଥ ଲାଇନ୍ ନିର୍ମାଣ ସାମିଲ ଅଛି। ଏହା ଦ୍ୱାରା ଉଭୟ ରାଜ୍ୟର ୪ଟି ଜିଲ୍ଲାରେ ପ୍ରାୟ ୧୪୫ କିଲୋମିଟର ଅତିରିକ୍ତ ରେଳ ଲାଇନ୍ ଯୋଡ଼ି ହେବ। ଏହି ମଲ୍ଟିଟ୍ରାକିଂ ବ୍ୟବସ୍ଥା ଫଳରେ ୧୫୨୬ଟି ଗ୍ରାମର ୧୪ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏହାସହ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଲଳିତଗିରି ବୌଦ୍ଧ କମ୍ପ୍ଲେକ୍ସ, କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉ ମନ୍ଦିର ଏବଂ ମେଘାହାଟୁବୁରୁ ପାହାଡ଼କୁ ଯାତାୟାତ ଆହୁରି ସହଜ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button