ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: ହତ୍ୟା ନା ଅସୁସ୍ଥତା ନେଇ ତଦନ୍ତ ଆରମ୍ଭ

ଭୁବନେଶ୍ବର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମର ରୁନା ବଡ଼ରଇତ। ସେ ଏକ ପୋକ୍ସୋ ମାମଲାରେ ବିଚାରାଧୀନ କଏଦୀ ଭାବେ ଗତ ୪୫ ଦିନ ହେବ ଜେଲ୍‌ରେ ଥିଲେ। ଜେଲ୍ ପ୍ରଶାସନର ସୂଚନା ଅନୁଯାୟୀ, ଶନିବାର ରାତିରେ ରୁନା ଅନ୍ୟ କଏଦୀଙ୍କ ସହ ରାତ୍ରିଭୋଜନ ସାରି ବିଶ୍ରାମ ନେଉଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଜେଲ୍ ଫାର୍ମାସିଷ୍ଟ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ସଙ୍କଟାପନ୍ନ ଅବସ୍ଥାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଅନ୍ୟପଟେ, ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗିରଫ ସମୟରେ ରୁନା ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button