ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ଅଞ୍ଚଳ ଗସ୍ତ ବେଳେ ବିବାଦ: ୨ ବିଜେଡି ବିଧାୟିକାଙ୍କୁ ଅସମ୍ମାନ ଅଭିଯୋଗ, ଥାନାର ଦ୍ୱାରସ୍ଥ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବନ୍ୟା ଅଞ୍ଚଳ ଗସ୍ତ ସମୟରେ ତୀବ୍ର ବିବାଦ ଓ ଅସନ୍ତୋଷ ଦେଖାଦେଇଛି। ବିଜେଡିର ଦୁଇ ବିଧାୟିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଗସ୍ତରେ ଯିବାକୁ ସୁଯୋଗ ନମିଳିବାରୁ ଏହାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ମାମଲା ଏବେ ଦଶରଥପୁର ଥାନାରେ ପହଞ୍ଚିଛି। ଅଭିଯୋଗ ଅନୁସାରେ, ଜିଲ୍ଲାପାଳ ଅମ୍ବର କୁମାର କର ବନ୍ୟା ବିପନ୍ନଙ୍କ ସମସ୍ୟା ଆଲୋଚନା ପାଇଁ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ଯାଜପୁର ବିଧାୟିକା ସୁଜାତା ସାହୁଙ୍କୁ ନିମନ୍ତ୍ରଣ କରିଥିଲେ। ଉଭୟ ବିଧାୟିକା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ମଧ୍ୟ ଜଣାଇଥିଲେ। ତରପଦା ପଞ୍ଚାୟତର ପତିରି ଗ୍ରାମରୁ ପାୱାର ବୋଟ୍ ମାଧ୍ୟମରେ କସପା ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ଏହି ଦୁଇ ବିଜେଡି ବିଧାୟିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ବୋଟ୍‌ରେ ଯିବାକୁ ପ୍ରଶାସନ ଓ ଜିଲ୍ଲାପାଳ ସୁଯୋଗ ଦେଇନଥିବା ଅଭିଯୋଗ ହୋଇଛି। ଏଥିରେ କ୍ଷୁବ୍ଧ ହୋଇ ଉଭୟ ବିଧାୟିକା କାଟିଆ-ବୈଶାପନ ମୁଖ୍ୟ ରାସ୍ତା ଉପରେ ଧାରଣାରେ ବସିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ଓ ଯୁକ୍ତିତର୍କ ହୋଇଥିଲା। ସ୍ଥାନୀୟ ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଥିଲା। ବିଜେପି ନେତା ଓ କର୍ମୀମାନେ ତାଙ୍କୁ ଅସମ୍ମାନ କରିବା ସହ ଠେଲାପେଲା କରିଥିବା ନେଇ ଯାଜପୁର ବିଧାୟିକା ସୁଜାତା ସାହୁ ଏବଂ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଦଶରଥପୁର ଥାନା ଆଇଆଇସି ସୁବ୍ରତ ସାହୁଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button