ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟ ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ ୧୦୦୦ କୋଟି ଟଙ୍କାର ବିଶେଷ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଲଗାତାର ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲା (ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା) ର କୋପରେ ଆସିଛି। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କା। ୧୨ ମାସିଆ ଫସଲ କ୍ଷତିଗ୍ରସ୍ତ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣ-ଧାନ ବିହନ କିଣିବା ପାଇଁ ଆର୍ଥିକ ସହାୟତା ଓ ପ୍ରଭାବିତ ଚାଷୀମାନଙ୍କୁ ମାଗଣାରେ ପନିପରିବା ‘ମିନି କିଟ୍’ ଯୋଗାଇ ଦିଆଯିବ। ୬ଟି ଜିଲ୍ଲାର ୭୪ଟି ବ୍ଲକ୍ ଅନ୍ତର୍ଗତ ୧,୩୮୧ଟି ଗାଁ ଏବଂ ପ୍ରାୟ ୯ ଲକ୍ଷ ୪୦ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ର ୨୬୦ଟି ଗାଁ ଏବଂ ୨ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ। ଜିଲ୍ଲାରେ ୨୦୩ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି ଏବଂ ଭଦ୍ରକର ୪ଟି ବ୍ଲକ୍ର ୧୪୯ଟି ଗାଁ ଏବଂ ୨ ଲକ୍ଷ ୫୯ ହଜାର ଲୋକ ପ୍ରଭାବିତ। ବନ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୪୫ଟି (ଓଡ୍ରାଫ୍) ଏବଂ ୮ଟି (ଏନ୍ଡିଆର୍ଏଫ୍) ଟିମ୍ ମୁତୟନ କରାଯାଇଛି।



