ଭିଜିଲାନସ୍ ବ୍ୟୁରୋ ଅଫିସରେ CBI ରେଡ୍ !

ନୂଆଦିଲ୍ଲୀ: ପଞ୍ଜାବରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ୨୫ ଲକ୍ଷ ଟଙ୍କାର ଏକ ଲାଞ୍ଚ କାରବାର ମାମଲାରେ ସୋମବାର ବିଳମ୍ବିତ ରାତିରେ CBI ଟିମ୍ ମୋହାଲିସ୍ଥିତ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମୁଖ୍ୟାଳୟରେ ଚଢ଼ାଉ କରିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସାଜିଥିବା ‘ମିଡିଲ୍ ମ୍ୟାନ୍’ ରାଘବ ଗୋଏଲଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି। ସୂଚନା ଅନୁସାରେ, ପ୍ରଥମେ CBI ଚଣ୍ଡୀଗଡ଼ର ଏକ ପଞ୍ଚତାରକା ହୋଟେଲରେ ଚଢ଼ାଉ କରିଥିଲା। ସେଠାରେ ପଞ୍ଜାବ ଭିଜିଲାନ୍ସ ମୁଖ୍ୟ ଶରଦ ସତ୍ୟ ଚୌହାନଙ୍କ ରିଡର ତଥା ଇନ୍ସପେକ୍ଟର ଓ.ପି. ରାଣା ଏବଂ ମିଡିଲମ୍ୟାନ୍ ରାଘବ ଗୋଏଲ ଜଣେ ଅଭିଯୋଗକାରୀଙ୍କ ସହ ଡିଲ୍ କରୁଥିଲେ। CBI ଚଢ଼ାଉ ସମୟରେ ରାଘବ ଗୋଏଲ ଧରାପଡ଼ିଥିବା ବେଳେ ଇନ୍ସପେକ୍ଟର ରାଣା ସେଠାରୁ ଫେରାର ହୋଇଯାଇଥିଲେ। ଏହାପରେ CBI ଟିମ୍ ଭିଜିଲାନ୍ସ ମୁଖ୍ୟାଳୟରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି ହୋଇନାହିଁ।



