ଭୁବନେଶ୍ୱର କୋର୍ଟକୁ ବୋମା ଧମକ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରକୁ ବୋମା ମାଡ଼ କରି ଉଡ଼ାଇ ଦେବାକୁ ମିଳିଛି ଏକ ସଂଗୀନ ଧମକ। ଏହି ବୋମା ଧମକପୂର୍ଣ୍ଣ ଫୋନ୍ କଲ୍ ଆସିବା ପରେ କୋର୍ଟ ପରିସରରେ ତୀବ୍ର ଉତ୍ତେଜନା ଏବଂ ଆତଙ୍କ ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ କୋର୍ଟ ଭିତରେ କାର୍ଯ୍ୟରତ ବିଚାରପତି, ଓକିଲ ଏବଂ ସେବାଗ୍ରାହୀମାନେ କାମଛାଡ଼ି ଭୟରେ ବାହାରକୁ ଚାଲି ଆସିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ପୋଲିସ ସମେତ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସ୍ଵାନ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୋର୍ଟର କୋଣ ଅନୁକୋଣରେ ଜୋରଦାର ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, କୋର୍ଟର କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବୋମା ରଖାଯାଇଥିବା ନେଇ ଏହି ଅଜ୍ଞାତ ଧମକପୂର୍ଣ୍ଣ କଲ୍ ଆସିଥିଲା। ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ଆତଙ୍କ ସୃଷ୍ଟି କଲା ଭଳି କଲ୍ କରିଛି, ତାହାର ଖୋଳତାଡ଼ ଜାରି ରଖିଛି ପୋଲିସ। ଏହି ଧମକ କଲ୍‌ର ସତ୍ୟାସତ୍ୟ ଏବଂ କଲ୍‌ର ଉତ୍ସ  ଚିହ୍ନଟ କରିବା ପାଇଁ ସାଇବର ଟିମ୍‌ର ସହାୟତା ମଧ୍ୟ ନିଆଯାଉଛି। ପୂର୍ବରୁ ମଧ୍ୟ ଅନେକ ସମୟରେ ଏଭଳି ମିଛ ବୋମା ଧମକ ଆସିବା ଏବଂ ପରେ ତାହା କେବଳ ଗୁଜବ ବୋଲି ପ୍ରମାଣିତ ହେବାର ନଜିର ରହିଛି। ତଥାପି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button