ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଳୟ ରଚିଛି। ପ୍ରବଳ ଗୁଳୁଗୁଳି ଓ ଗରମ ପରେ ହଠାତ ଆକାଶ ମେଘାଚ୍ଛନ୍ନ ହୋଇ ଅନ୍ଧାର ହୋଇଯାଇଥିଲା। ଏହା ସହିତ ଘଡ଼ଘଡ଼ି ଓ ବିଜୁଳି ସାଙ୍ଗକୁ ତୁହାକୁ ତୁହା ପ୍ରବଳ ପବନ ଓ ବର୍ଷା ଆରମ୍ଭ ହୋଇଯାଇଥିଲା। ମାତ୍ର ଅଳ୍ପ ସମୟର ଏହି ଝଡ଼ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସମେତ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ବିଶେଷ କରି ଜୟଦେବ ବିହାର, ଶାସ୍ତ୍ରୀ ନଗର, ସହୀଦ ନଗର, ଖାରବେଳ ନଗର ଏବଂ ବିମାନବନ୍ଦର ଆଦି ପ୍ରମୁଖ ଅଞ୍ଚଳରେ ଅନେକ ବଡ଼ ଗଛ ରାସ୍ତା ଉପରେ କଡ଼େଇ ପଡ଼ିଛି। କେତେକ ସ୍ଥାନରେ ଛିଡ଼ା ହୋଇଥିବା କାର୍ ଓ ଅଟୋ ଉପରେ ଗଛ ପଡ଼ିଯିବାରୁ ଗାଡ଼ିଗୁଡ଼ିକ ଆଂଶିକ ନଷ୍ଟ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳଗୁଡ଼ିକରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ସହ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛନ୍ତି। ଅପରପକ୍ଷରେ, ଶାସ୍ତ୍ରୀ ନଗର ଅଞ୍ଚଳରେ ଦୁଇଟି ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ଦୀର୍ଘ ଦିନର ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ହେଁ, କାଳବୈଶାଖୀର ଏହି କୋପ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button