ବି.ଟେକ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ‘ରାଗିଂ’ ପାଇଁ ପୁଅର ଜୀବନ ଯାଇଥିବା ଅଭିଯୋଗ କଲେ ପରିବାର

ଭୁବନେଶ୍ୱର: ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ଇଞ୍ଜିନିୟରିଂ କଲେଜରେ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଛାତ୍ର ଜଣକ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ବିଶ୍ୱାସ ସ୍ୱାଇଁ। ବିଶ୍ୱାସଙ୍କ ମୃତ୍ୟୁ ପଛରେ ସିନିୟର ଛାତ୍ରଙ୍କ ‘ରାଗିଂ’ ଓ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଥିବା ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ରାତି ପ୍ରାୟ ୧୦ଟା ସମୟରେ ବିଶ୍ୱାସ ପରିବାର ଲୋକଙ୍କ ସହ ସ୍ୱାଭାବିକ ଭାବେ କଥା ହୋଇଥିଲେ। ତେବେ ମାତ୍ର ଗୋଟିଏ ଘଣ୍ଟା ପରେ ଅର୍ଥାତ ୧୧ଟା ବେଳକୁ ସେ ଆତ୍ମହତ୍ୟା କରିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାରକୁ ସୂଚନା ଦେଇଥିଲେ। ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି। ଆଜି ଅପରାହ୍ନରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ମୃତ ଛାତ୍ରଙ୍କ ବାପା ବସନ୍ତ ସ୍ୱାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଦାୟୀ କରି କହିଛନ୍ତି ଯେ, କଲେଜରେ ଚାଲିଥିବା ରାଗିଂ ବିଷୟରେ କର୍ତ୍ତୃପକ୍ଷ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ।



