ମହିଳା ବାଇକରଙ୍କୁ ଆକ୍ରମଣ: ଅଶ୍ଳୀଳ ଇଙ୍ଗିତ ପ୍ରତିବାଦ କରିବାରୁ କାର୍ ଚାଳକ କଲେ ଧକ୍କା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମ ସ୍ଥିତ ପ୍ରସିଦ୍ଧ ଗଲ୍ଫ କୋର୍ସ ରୋଡରେ ଜଣେ ମହିଳା ବାଇକରଙ୍କ ସହ ଏକ ଚାଞ୍ଚଲ୍ୟକର ତଥା ଅତ୍ୟନ୍ତ ସଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ କାର୍ ଚାଳକ ମହିଳା ବାଇକରଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ ଦେଇଥିଲେ। ମହିଳା ଜଣକ ଏହାର ପ୍ରତିବାଦ କରି ଦୂରତା ବଜାୟ ରଖିବାକୁ କହିବାରୁ, ଚାଳକ ଜଣକ ଆକ୍ରୋଶମୂଳକ ଭାବେ ତାଙ୍କ ବାଇକକୁ ସାଇଡ୍‌ରୁ ଜୋରଦାର ଧକ୍କା ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ସମ୍ପୂର୍ଣ୍ଣ ଘଟଣା ମହିଳାଙ୍କ ବାଇକ୍ କ୍ୟାମେରାରେ କଏଦ ହୋଇଛି। ସୂଚନା ମୁତାବକ, ସିଆ ନାମ୍ନୀ ମହିଳା ବାଇକର ରବିବାର ଦିନ ନିଜ ସାଙ୍ଗମାନଙ୍କ ସହିତ ସ୍ପୋର୍ଟସ୍ ବାଇକ୍ ଚଲାଇ ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡ୍ ଦେଇ ଯାଉଥିଲେ। ଏହି ସମୟରେ ଏକ କାର୍ ପଛପଟୁ ଆସି ବାରମ୍ବାର ତାଙ୍କ ପିଛା କରିଥିଲା। ସିଆଙ୍କ କହିବା ଅନୁଯାୟୀ, କାର୍ ଭିତରେ ଥିବା ଯୁବକମାନେ ନିଶାସକ୍ତ ଅବସ୍ଥାରେ ଥିଲେ ଏବଂ ତାଙ୍କୁ ଦେଖି ଅଶ୍ଳୀଳ ଇଙ୍ଗିତ କରିବା ସହ ବାଇକ୍ ଅଟକାଇବାକୁ ଇସାରା ଦେଉଥିଲେ। ସେମାନଙ୍କ ଉଦ୍ଦେଶ୍ୟ ଖରାପ ଥିବା ଜାଣିପାରି ସିଆ ହାତ ଦେଖାଇ ଦୂରେଇ ରହିବାକୁ କହି ଆଗକୁ ବାହାରି ଯିବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ କାର୍ ଚାଳକ ଜଣକ ଦ୍ରୁତ ଗତିରେ ଆସି ସିଆଙ୍କ ବାଇକ୍‌କୁ ଜୋରଦାର ଧକ୍କା ମାରିଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ସିଆ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ଏବଂ ତାଙ୍କ ବାଇକ୍ କିଛି ବାଟ ଘୋଷାଡ଼ି ହୋଇ ଚାଲିଯାଇଥିଲା। ଏହି ଆକ୍ରମଣରେ ସିଆ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ କ୍ୟାମେରା ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button