ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍: କାର୍ ଧକ୍କାରେ ଯୁବକ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି। ବରମୁଣ୍ଡା କାଳୀ ମନ୍ଦିର ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ଜଣେ ଯୁବକଙ୍କୁ ଏକ ଦ୍ରୁତଗାମୀ କାର୍ ପ୍ରଚଣ୍ଡ ଧକ୍କା ଦେଇ ଫେରାର୍ ହୋଇଯାଇଛି। ଏହି ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଯୁବକ ଜଣକ ରାସ୍ତା ପାର୍ ହେଉଥିବା ବେଳେ ହଠାତ୍ ଏକ ବେପରୁଆ କାର୍ ଆସି ତାଙ୍କୁ ସୋଜା ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଯୁବକ ଜଣକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅନ୍ୟପଟେ, ଦୁର୍ଘଟଣା ଘଟାଇ କାର୍‌ଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବାରୁ ପୋଲିସ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି। ପୋଲିସ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି (CCTV) କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଛି। ଗାଡ଼ିର ନମ୍ବର ଓ ଚାଳକଙ୍କୁ ଖୁବଶୀଘ୍ର ଠାବ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button