୬ ବର୍ଷରେ ଏସସିବିରୁ ୧୪ ନବଜାତ ଶିଶୁ ନିଖୋଜ ! ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆରଡିସି

ଭୁବନେଶ୍ବର: ଏସସିବି ମେଡିକାଲ କଲେଜରୁ ନିଖୋଜ ହୋଇଛନ୍ତି ଅନେକ ନବଜାତକ ! ଗତ ୬ବର୍ଷ ଭିତରେ ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ସନ୍ତାନ ପ୍ରସବ କରିଥିବା ଅସହାୟ ତଥା ମାନସିକ ଅନଗ୍ରସର ମହିଳାଙ୍କ ୧୪ଜଣ ଶିଶୁଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ଆରଡିସି ଏସସିବି ଅଧୀକ୍ଷକଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆର୍‌ଡିସି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ଏଥିସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏକ ରିପୋର୍ଟ ଆରଡିସିଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । ଜଣେ ସୂଚନା ଅଧିକାର କର୍ମୀ ଅଭିଯୋଗ କ୍ରମେ ଆରଡିସି ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଅନେକ ଅସହାୟ ଓ ଅପରିଚିତ ମାନସିକ ଭିନ୍ନକ୍ଷମ ମହିଳା ଆସି ବିଭିନ୍ନ ସମୟରେ ସନ୍ତାନ ପ୍ରସବ କରୁଛନ୍ତି। ସାମାଜିକ କର୍ମୀଙ୍କ ମାଧ୍ୟମରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ହେଲେ ସନ୍ତାନ ପ୍ରସବ ପରେ ନବଜାତ ଶିଶୁଙ୍କୁ ମେଡିକାଲ ପକ୍ଷରୁ ସିଡବ୍ଲ୍ୟୁସି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ଶିଶୁଯତ୍ନ ପ୍ରତିଷ୍ଠାନରେ ଥଇଥାନ କରିବା କଥା। ହେଲେ ସେପରି କରା ନ ଯାଇ ଯେଉଁମାନେ ଏହି ମହିଳାଙ୍କୁ ମେଡିକାଲ୍ ଆଣିଅନ୍ତି ସେମାନଙ୍କୁ ନବଜାତ ଶିଶୁଙ୍କୁ ଟେକି ଦିଆଯାଉଥିବା ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button