ବନ୍ଦ ଘରେ ଲାଗିଲା ନିଆଁ: ଜୀବନ୍ତ ଦଗ୍ଧ ହୋଇ ବାପା ମୃତ

ଭୁବନେଶ୍ବର: ରାଉରକେଲାରେ ଘଟିଯାଇଛି ଏକ ଅଭାବନୀୟ ଅଘଟଣ। ବିଳମ୍ବିତ ରାତିରେ ବନ୍ଦ ଘରେ ନିଆଁ ଲାଗିଜିବା ଫଳରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରେଲୱେ କଲୋନୀ ମଧୁସୂଦନପାଲିର ଜିତେନ୍ଦ୍ର ସାହା। ତେବେ ଅନ୍ୟ ଏକ ଘରେ ଶୋଇଥିବାରୁ ତାଙ୍କ ପୁଅ ରୋହିତ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ମଧୁସୂଦନପାଲିସ୍ଥିତ ଘରେ ଜିତେନ୍ଦ୍ର, ତାଙ୍କ ପତ୍ନୀ ଓ ପୁଅ ରୋହିତ ରହୁଥିଲେ। ପତ୍ନୀ ଅସୁସ୍ଥ ଥିବାରୁ କିଛି ଦିନ ହେବ ଝିଅ ଘରକୁ ଯାଇଥିବା ବେଳେ ବୋହୂ ଓ ସାନ ଝିଅ ଅଜା ଘରକୁ ଯାଇଥିଲେ। ଫଳରେ ଘରେ ବାପା ଓ ପୁଅ ଦୁହେଁ ରହୁଥିଲେ। ଗତକାଲି ରାତିରେ ଖାଇସାରିବା ପରେ ଜିତେନ୍ଦ୍ର ଗୋଟିଏ ଘରେ ଏବଂ ପୁଅ ରୋହିତ ଅନ୍ୟ ଏକ ଘରେ ଶୋଇବାକୁ ଯାଇଥିଲେ।
ରାତି ପ୍ରାୟ ୨ଟା ପରେ ଜିତେନ୍ଦ୍ର ଶୋଇଥିବା ଘରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ପଡ଼ୋଶୀମାନେ ପାଟି କରିଥିଲେ। ପୁଅ ରୋହିତ ଓ ପଡ଼ୋଶୀମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ନିଆଁ ଆୟତ୍ତ କରି ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଘର ଭିତର ପଟୁ ବନ୍ଦ ଥିବାରୁ ତାଙ୍କୁ ଉଦ୍ଧାର କରାଯାଇପାରି ନଥିଲା। ଅଗ୍ନିଶମ ଗାଡ଼ି ପହଞ୍ଚିବା ପୂର୍ବରୁ ହିଁ ନିଆଁରେ ପୋଡ଼ିହୋଇ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇସାରିଥିଲା। ଘଟଣାସ୍ଥଳରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ନିଆଁ ଲାଗିବାର ସଠିକ୍ କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button