୨ ଲକ୍ଷ ଟପିଲା କୋଭିଡଜନିତ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ସପ୍ତମ ଦିନ ୩ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଦିନକ ଭିତରେ ରେକର୍ଡ ୩.୬୦ ଲକ୍ଷ ଉପରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ଦିନକ ଭିତରେ ୩ ଲକ୍ଷ ୬୦ ହଜାର ୯୬୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ଫଳରେ ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୧ କୋଟି ୭୯ ଲକ୍ଷ ୯୭ ହଜାର ୨୬୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ଦିନକ ଭିତରେ ୩ ହଜାର ୨୯୩ ଜଣ ସଂକ୍ରମିତଙ୍କର ପ୍ରାଣହାନୀ ହେବା ଫଳରେ ମୋଟ ମୃତ୍ୟୁସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ଆମେରିକା, ବ୍ରାଜିଲ୍ ଓ ମେକ୍ସିକୋ ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ସଂଖ୍ୟା ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୬୬ ହଜାର ୩୫୮, ଉତ୍ତର ପ୍ରଦେଶରେ ୩୨ ହଜାର ୯୨୧, କେରଳରେ ୩୨ ହଜାର ୮୧୯ ଓ କର୍ଣ୍ଣାଟକରେ ୩୧ ହଜାର ୮୦୦ ଏବଂ ଦିଲ୍ଲୀରେ ୨୪ ହଜାର ୧୪୯ ଜଣ ଚିହ୍ନଟ ହୋଇଛନ୍ତି।

ଅର୍ଥାତ୍ ଦିନକ ଭିତରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୨.୧ ପ୍ରତିଶତ ସଂକ୍ରମିତ ଏହି ୫ଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। କେବଳ ମହାରାଷ୍ଟ୍ରରୁ ୧୮.୧୮ ପ୍ରତିଶତ ଠାବ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଘଟିଥିବା ରେକର୍ଡ ମୃତ୍ୟୁସଂଖ୍ୟାରେ ସର୍ବାଧିକ ଯୋଗଦାନ ମଧ୍ୟ  ମହାରାଷ୍ଟ୍ରର ରହିଛି, ଯେଉଁଠି ୮୯୫ ଜଣ ସଂକ୍ରମିତଙ୍କର ପ୍ରାଣହାନୀ ଘଟିଛି। ଏହାଛଡ଼ା ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ ୩୮୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୧.୧୨ ପ୍ରତିଶତ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା କୋରୋନା ଭୂତାଣୁକୁ ୧ କୋଟି ୪୮ ଲକ୍ଷ ୧୭ ହଜାର ୩୭୧ ଜଣ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ଏବେ ଦେଶର ବିଭିନ୍ନ ହସ୍ପିଟାଲରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୬.୫୫ ପ୍ରତିଶତ ଅର୍ଥାତ୍ ୨୯ ଲକ୍ଷ ୭୮ ହଜାର ୭୦୯ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିସହ ସୁସ୍ଥତା ହାର ୮୨.୩୩ ପ୍ରତିଶତକୁ ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୪ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଠାବ ହୋଇଥିବା ବେଳେ ଅଧିକାଂଶ ହସ୍ପିଟାଲରେ ଅକ୍ସିଜେନ୍ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ୧୭ ଲକ୍ଷ ୨୩ ହଜାର ୯୧୨ଟି ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ପରୀକ୍ଷା ପରିମାଣ ୨୮ କୋଟି ୨୭ ଲକ୍ଷ ୩ ହଜାର ୭୮୯ରେ ପହଞ୍ଚିଥିବ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button