ଦ୍ବିତୀୟ ଡୋଜ୍ ଟିକା କେହି ମିସ କରନ୍ତୁ ନାହିଁ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କୋଭିଡ କବଳରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଦ୍ବିତୀୟ ଡୋଜ କୋରୋନା ଟିକା ନିଅନ୍ତୁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ସମସ୍ତଙ୍କୁ ନିବେଦନ କରିଛନ୍ତି। ଶନିବାର ଗଣମାଧ୍ୟମ ଜରିଆରେ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଦ୍ବିତୀୟ ଡୋଜ ନେବା ପରେ ଶରୀରରେ କୋରୋନା ପ୍ରତିଷେଧକ ଶକ୍ତି ବହୁତ ମାତ୍ରାରେ ବଢ଼ି ପାରିବ। ଏହା ଅନେକ ସର୍ଭେରୁ ପ୍ରମାଣିତ ହୋଇଛି। ତେଣୁ ଯେଉଁମାନେ ପ୍ରଥମ ଡୋଜ କୋରୋନା ଟିକା ନେଇଛନ୍ତି, ସେମାନେ ସମସ୍ତେ ଦ୍ବିତୀୟ ଡୋଜ କୋରୋନା ଟିକା ତୁରନ୍ତ ନେଇ ନିଜକୁ ସୁରକ୍ଷିତ କରନ୍ତୁ ବୋଲି ସେ ଅପିଲ କରିଛନ୍ତି।

ଦ୍ବିତୀୟ ୱେଭ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଗତ ୭ ଦିନ ଭିତରେ ଦେଶରେ ୧୮୦ଟି ଜିଲ୍ଲାରେ କେହି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ସେହିପରି ୧୪ ଦିନ ଭିତରେ ୧୮ ଜିଲ୍ଲା, ୨୧ ଦିନ ଭିତରେ ୫୪ ଜିଲ୍ଲା, ୨୮ ଦିନ ଭିତରେ ଆଉ ୩୨ ଜିଲ୍ଲାରେ କେହି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଦେଶରେ ଏଯାବତ ୧୬ କୋଟି ୭୩ ଲକ୍ଷ ଡୋଜ ଟିକା ଦିଆ ସରିଲାଣି। ଏହା ମଧ୍ୟରୁ ଗତକାଲି ୨୩ ଲକ୍ଷ ଡୋଜ ଟିକା ଦିଆଯାଇଛି ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି। ରାଜ୍ୟମାନଙ୍କ ପାଖରେ ଏବେ ୮୪ ଲକ୍ଷ ୮ ହଜାର ୧୮୭ ଡୋଜ ଟିକା ମହଜୁଦ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଆଗକୁ ମଧ୍ୟ ଟିକା ଯୋଗାଇବା ନେଇ ପ୍ରସ୍ତୁତି ଜାରି ରହିଛି।

Related Articles

Leave a Reply

Your email address will not be published.

Back to top button