ପେଟ୍ରୋଲ ପମ୍ପ ଡିଲରଙ୍କ ଆର୍ଥିକ ଚାପ: କମିଶନ ବୃଦ୍ଧି ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ପରିଚାଳନା ଖର୍ଚ୍ଚ ବଢ଼ିବା ସତ୍ତ୍ୱେ କମିଶନ ବୃଦ୍ଧି ନ ହେବା ଯୋଗୁଁ ଦେଶବ୍ୟାପୀ ପେଟ୍ରୋଲ ପମ୍ପ ଡିଲରମାନେ ଆର୍ଥିକ ଚାପରେ ରହିଛନ୍ତି। ଏହି ସମସ୍ୟା ଓ ଦାବିଗୁଡ଼ିକୁ ନେଇ ପେଟ୍ରୋଲ ପମ୍ପ ଡିଲରଙ୍କ ପ୍ରତିନିଧିମାନେ ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଯଥେଷ୍ଟ ବୃଦ୍ଧି ଘଟିଥିବା ବେଳେ ପମ୍ପ ଅପରେଟରମାନେ ତୈଳ କମ୍ପାନୀଗୁଡ଼ିକଠାରୁ ମିଳୁଥିବା କମିଶନ ବୃଦ୍ଧି ଏବଂ କର୍ମଚାରୀଙ୍କ ଦରମା ଢାଞ୍ଚାରେ ପରିବର୍ତ୍ତନ ପାଇଁ ଦାବି ରଖିବେ। ବର୍ତ୍ତମାନ ମିଳୁଥିବା କମିଶନରେ କର୍ମଚାରୀଙ୍କ ଦରମା ଦେବା ସହ ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡ଼ୁଥିବା ଡିଲରମାନେ ଅଭିଯୋଗ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ପେଟ୍ରୋଲ ପମ୍ପ ଚଲାଇବା ଖର୍ଚ୍ଚ ଯଥେଷ୍ଟ ବଢ଼ିଯାଇଛି। କର୍ମଚାରୀଙ୍କ ବେତନ, ବିଦ୍ୟୁତ୍ ଶୁଳ୍କ, ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ବାବଦ ଖର୍ଚ୍ଚ ବୃଦ୍ଧି ପାଇଥିଲେ ମଧ୍ୟ କମିଶନ ସେ ଅନୁସାରେ ବଢ଼ିନାହିଁ। ଫଳରେ ଗୋଟିଏ ସିଫ୍ଟରେ ପମ୍ପ ଚଲାଇବା ସମ୍ଭବ ହେଉଥିଲେ ହେଁ ଦୁଇ ବା ତିନୋଟି ସିଫ୍ଟରେ ପରିଚାଳନା କରିବା କଷ୍ଟସାଧ୍ୟ ହେଉଥିବା ଅପରେଟରମାନେ କହିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନାରେ ଡିଲରମାନେ ନିଜର ଆର୍ଥିକ ଅସୁବିଧା ଓ ରାଜସ୍ୱ ବୃଦ୍ଧି ସମ୍ପର୍କିତ ଦାବି ଉପସ୍ଥାପନ କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button