୨୬ରେ ଭୁବନେଶ୍ୱରରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ରାଲି

ଭୁବନେଶ୍ବର: ରାଜ୍ୟରେ ରାଜନୈତିକ ତାତି ବୃଦ୍ଧି ପାଇଛି। ଆସନ୍ତା ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ‘ସମ୍ବିଧାନ ବଞ୍ଚାଅ’ ରାଲି ଅନୁଷ୍ଠିତ ହେବାକୁ ଯାଉଛି। ଇଭିଏମ୍ ହଟାଇ ବାଲାଟ୍ ପେପରରେ ନିର୍ବାଚନ, ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା, ଏମଏମଡିଆର (MMDR) ଖଣି ଆଇନ୍ ଏବଂ ବନ୍ୟା ପରିଚାଳନା ବିଫଳତା ଭଳି ପ୍ରମୁଖ ପ୍ରସଙ୍ଗକୁ ଆଧାର କରି କଂଗ୍ରେସ ଏହି ମହାସଂଗ୍ରାମର ଡାକରା ଦେଇଛି। ଯୋଜନା ଅନୁଯାୟୀ, ୨୪ ତାରିଖରେ ରାଜ୍ୟର ସମସ୍ତ ବ୍ଲକ୍‌ରେ, ୨୫ ତାରିଖରେ ସମସ୍ତ ଜିଲ୍ଲା ସଦର ମହକୁମାରେ ଏବଂ ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବେ। ୨୬ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ହେବାକୁଥିବା ଏହି ମହାସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତାମାନେ ଯୋଗ ଦେବେ। ଏହି ଆନ୍ଦୋଳନରେ ଦଳ ମୁଖ୍ୟତଃ ୪ଟି ପ୍ରସଙ୍ଗକୁ ପ୍ରମୁଖତା ଦେବ। ପ୍ରଥମତଃ, ଇଭିଏମ୍ ବଦଳରେ ପୁନର୍ବାର ବାଲାଟ୍ ପେପର ଜରିଆରେ ନିର୍ବାଚନ କରାଇବାକୁ ଦାବି କରାଯିବ। ଦ୍ୱିତୀୟତଃ, ନିର୍ବାଚନ ପରିଚାଳନାରେ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯିବ। ତୃତୀୟତଃ, ଏମଏମଡିଆର୍ ଖଣି ଆଇନ୍ ଯୋଗୁଁ ରାଜ୍ୟର ସ୍ୱାର୍ଥ କ୍ଷୁଣ୍ଣ ହେଉଥିବା ଅଭିଯୋଗ ଆଣିବ ଦଳ। ଚତୁର୍ଥତଃ, ଚଳିତ ବର୍ଷ ବନ୍ୟା ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଏବଂ ବନ୍ୟା ପୀଡ଼ିତଙ୍କୁ ସଠିକ୍ ସହାୟତା ମିଳିନଥିବା ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାରେ ଠିଆ କରାଯିବ। ଏହି ସଫଳତା ପାଇଁ ଦଳର ସମସ୍ତ ବ୍ଲକ୍ ଓ ଜିଲ୍ଲା ସଭାପତିମାନଙ୍କୁ ଦଳୀୟ ନେତୃତ୍ୱଙ୍କ ପକ୍ଷରୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button