୬.୬ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଏକ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଗତ ନଭେମ୍ବର ୧୬ ତାରିଖରେ ବାଣ୍ଡା ସାଗର ମଧ୍ୟରେ ୬.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହେବାରୁ ସମଗ୍ର ଅଞ୍ଚଳ କମ୍ପିଉଠିଥିଲା। ତେବେ ଏହି ଭୂକମ୍ପ ପରେ ସୁନାମିର କୌଣସି ବିପଦ ନାହିଁ ବୋଲି ଇଣ୍ଡୋନେସିଆର ପାଣିପାଗ ଓ ଭୂକମ୍ପ ନିରୀକ୍ଷଣ ସଂସ୍ଥା ବି.ଏମ୍.କେ.ଜି (BMKG) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧନଜୀବନ କ୍ଷୟକ୍ଷତିର ଆଶଙ୍କା ବହୁତ କମ୍ ଥିବା ନେଇ ଆକଳନ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ମତରେ ଭାରତୀୟ ସମୟ ପ୍ରାୟ ରାତି ୨ଟା ୪୧ ମିନିଟ୍ ସମୟରେ ଏହି ଭୂକମ୍ପ ସଂଘଟିତ ହୋଇଥିଲା। ଇଣ୍ଡୋନେସିଆର ତୁଆଲ୍ ସହରଠାରୁ ପ୍ରାୟ ୧୪୮ରୁ ୧୫୧ କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ପ୍ରାରମ୍ଭିକ ଆକଳନରେ ଭୂକମ୍ପର ଗଭୀରତା ୩୫ କିଲୋମିଟର ରହିଥିବା କୁହାଯାଇଥିଲେ ହେଁ, ପରବର୍ତ୍ତୀ ତଥ୍ୟରେ ଏହା ପ୍ରାୟ ୬୮ କିଲୋମିଟର ଗଭୀରରେ ଥିବା ରେକର୍ଡ କରାଯାଇଛି। ସମୁଦ୍ର ମଧ୍ୟରେ ଏବଂ ଅଧିକ ଗଭୀରତାରେ ଭୂକମ୍ପର କେନ୍ଦ୍ର ଥିବାରୁ ଭୂପୃଷ୍ଠରେ ଏହାର ପ୍ରଭାବ ବହୁ ପରିମାଣରେ ସୀମିତ ରହିଥିଲା। ଆମେରିକୀୟ ସଂସ୍ଥାର ପେଜର ସିଷ୍ଟମ୍ ଏହି ଭୂକମ୍ପକୁ ନେଇ ସବୁଜ ସଙ୍କେତ ବା ଗ୍ରୀନ୍ ଆଲର୍ଟ ଜାରି କରିଥିଲା, ଯାହାର ଅର୍ଥ ହେଉଛି ଏହି ଭୂକମ୍ପ ଯୋଗୁଁ ବଡ଼ଧରଣର କ୍ଷତିର ସମ୍ଭାବନା ନାହିଁ।



