କୋଲକାତା-ସୈରାଙ୍ଗ ଏକ୍ସପ୍ରେସ୍ ଲାଇନଚ୍ୟୁତ: ୬ ବଗି ସହ ଇଞ୍ଜିନ୍ ଦୁର୍ଘଟଣାଗ୍ରସ୍ତ

ଆସାମର ଦିଗାରୁ ଠାରେ ଆଜି ସକାଳେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ମିଜୋରାମର ସୈରାଙ୍ଗରୁ କୋଲକାତା ଅଭିମୁଖେ ଯାଉଥିବା କୋଲକାତା-ସୈରାଙ୍ଗ ଏକ୍ସପ୍ରେସ୍ର ୬ଟି ବଗି ସହ ଇଞ୍ଜିନ୍ ଲାଇନଚ୍ୟୁତ ହୋଇଯାଇଛି। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ରେଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୬ଟା ୫୪ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇବା ମାତ୍ରେ ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (NFR)ର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣାରେ କେବଳ ୪ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି ଏବଂ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଘଟଣାସ୍ଥଳରେ ଫସି ରହିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଖାଦ୍ୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିକଳ୍ପ ଟ୍ରେନର ବ୍ୟବସ୍ଥା କରାଯାଇଛି। ରେଳ ମନ୍ତ୍ରଣାଳୟ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।



