୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଖଣି ଉପନିର୍ଦ୍ଦେଶକଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ଏକ ବଡ଼ଧରଣର ଦୁର୍ନୀତି ବିରୋଧୀ ଅଭିଯାନରେ ଓଡ଼ିଶା ଭିଜିଲାନ୍ସ କୋରାପୁଟ ଜିଲ୍ଲା ଜୟପୁରର ଖଣି ଓ ଭୂତତ୍ତ୍ୱ ଉପନିର୍ଦ୍ଦେଶକ ସତ୍ୟଜିତ ରାଉତଙ୍କୁ ଗିରଫ କରିଛି। ଜଣେ ଲିଜ୍‌ଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ କାବୁ କରିଛି। ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅବଧି ସମାପ୍ତ ହେବା ପରେ ଏକ ବାଲି ସୈରାତର ଲିଜ୍ ଅବଧି ବୃଦ୍ଧି କରିବା ଏବଂ ଭବିଷ୍ୟତରେ ବାଲି ଉତ୍ସର ସ୍ପଟ୍ ନିଲାମରେ ଫାଇଦା କରାଇଦେବା ନେଇ ସେ ଏହି ଲାଞ୍ଚ ଦାବି କରିଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଟିମ୍ ଏକ ସ୍ପେଶାଲ୍ ପ୍ଲାନ୍ ପ୍ରସ୍ତୁତ କରିଥିଲା ଏବଂ ଲାଞ୍ଚ ଟଙ୍କା ନେବା ବେଳେ ଅଧିକାରୀଙ୍କୁ ମାଡ଼ି ବସିଥିଲା। ତାଙ୍କ ନିକଟରୁ ଲାଞ୍ଚର ସମ୍ପୂର୍ଣ୍ଣ ୨ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ଗିରଫଦାରୀ ପରେ ଓଡ଼ିଶା ଭିଜିଲାନ୍ସ ଅଭିଯୁକ୍ତଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ଜୟପୁରର ଲିଙ୍ଗରାଜ ନଗର ସ୍ଥିତ ତାଙ୍କ ସରକାରୀ ବାସଭବନ, କଟକର ବିଦ୍ୟାଧରପୁରରେ ଥିବା ବାସଭବନ ଏବଂ କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ଓଲକାନା ସ୍ଥିତ ପୈତୃକ ଗ୍ରାମରେ ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅଭିଯୁକ୍ତଙ୍କ ଆୟବହିର୍ଭୂତ ସମ୍ପତ୍ତିର ଆକଳନ ପାଇଁ ଏହି ଚଢ଼ାଉ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button